ପାନୀୟଜଳ ପ୍ରକଳ୍ପର ସମୀକ୍ଷା କଲେ ଓମବାଡସି ର ଓଭରସାଇଟ୍ ଅଥରିଟି
ହାଟଡ଼ିହି, (ବିକାଶ ବିଶ୍ୱାଳ):ଓମବାଡସି ର ଓଭରସାଇଟ ଅଥରିଟ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ମାନ୍ୟବର ଜଷ୍ଟିସ ଏ.କେ ପଟ୍ଟନାୟକ ଆଜି ହାଟଡିହି ବ୍ଲକ ବାଙ୍ଗୋର ପାୀୟ ଜଳ ବିଶୋଧନ କେନ୍ଦ୍ର ପରିଦର୍ଶନ କରି ସେଠାରେ ଚାଲିଥିବା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହିତ ଏହାଦ୍ୱାରା ଲୋକମାନେ ଠିକରେ ପାନୀୟଜଳ ପାଇପାରୁଛନ୍ତି କି ନାହିଁ ସେ ସମ୍ପର୍କରେ ତଦାରଖ କରିଛନ୍ତି । ହାଟଡିହି ବ୍ଲକରେ ଓମବାଡସି ଅନୁଦାନରେ ୩୮କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଏହି ପାନୀୟଜଳ ପ୍ରକଳ୍ପରୁ ଏହି ବ୍ଲକର ୧୯ଟି ଗ୍ରାମକୁ ପାନୀୟଜଳ ଯୋଗାଇବାର ବ୍ୟବସ୍ଥା ହୋଇଥିଲା । ଆଜି ଦିନ ୧୧ଟାବେଳେ ଜଷ୍ଟିସ ଏ.କେ ପଟ୍ଟନାୟକ ବିଦ୍ୟାଧରପୁର ଠାରେ ପହଞ୍ଚି ସେଠାରେ ଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପ ପରିଦର୍ଶନ କରିବା ସହିତ ପରେ ବାଙ୍ଗୋର ପଞ୍ଚାୟତର ଶଙ୍ଖଣା ଗ୍ରାମରେ ନିର୍ମାଣ ହୋଇଥିବା ଜଳ ବିଶୋଦନ କେନ୍ଦ୍ରରେ ପହଞ୍ଚି ଜଳଯୋଗାଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏହା କେବଳ ପାନୀୟଜଳ ଭାବେ ବ୍ୟବହାର କରିବାକୁ ଯୋଗାଇ ଦିଆଯାଉଥିବାବେଳେ କିଛି ଲୋକ ଫୁଲଫଳ ଚାଷରେ ଏହାକୁ ନିୟୋଜନ କରୁଥିବାରୁ ଲୋକମାନେ ସେଥିରୁ ନିବୃତ ରହି କେବଳ ପାନୀୟଜଳ ଭାବେ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ । ବିଶେଷକରି ପଞ୍ଚାୟତ ଓ ଗାଁ ସ୍ତରରେ କମିଟି ଗଠନ କରି ପାନୀୟଜଳର ସଦୁପଯୋଗ କରିବା ଦିଗରେ ସେ ଗୁରୁତ୍ୱାରୋପ କରିଥିଲେ । ଭାଗ ଭାଗ କରି ଗାଁ ଗୁଡିକୁ ପାଣି ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ସମୀକ୍ଷା ସମୟରେ କେନ୍ଦ୍ର, ରାଜ୍ୟ ଏବଂ ଜିଲ୍ଲାର ବରିଷ୍ଠ ପଦାଧିକାରୀଙ୍କ ସହିତ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ପ୍ରସାଦ ଗାନ୍ଧୀ, ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ସହକାରୀଯନ୍ତ୍ରୀ ଭରତ କୁମାର ସେଠୀ, କନିଷ୍ଠଯନ୍ତ୍ରୀ ଉତ୍ସବଚନ୍ଦ୍ର ଜେନା, ଠିକାସଂସ୍ଥା ଏନସିସି ର ସଂଯୋଜକ କରୁଣାମୟୀ ବନେ୍ଦାପାଧ୍ୟାୟ, ସିନିୟର ପ୍ରୋଜେକ୍ଟ ମ୍ୟାନେଜର ବି.ସି.ପାଲ, ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ମହାନ୍ତ, ସତ୍ୟସୁନ୍ଦର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା, ବାଙ୍ଗୋର ପଞ୍ଚାୟତର ସରପଞ୍ଚ ଅଙ୍କିତା ପଢ଼ିଆରୀ, ସମିତିସଭ୍ୟା ମନୋରମା ପଣ୍ଡା ପ୍ରମୁଖ ପାନୀୟ ଜଳଯୋଗାଣର ବ୍ୟବସ୍ଥା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।


