ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ପ୍ରକଳ୍ପ ନିର୍ମାଣ ଆରମ୍ଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସରପଞ୍ଚ ପୁଷ୍ପଲତା ସେନାପତିଙ୍କ ପ୍ରତ୍ୟେକ୍ଷ ଉଦ୍ୟମରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପଂଚାୟତରେ ବହୁବିଧ ଉନ୍ନତି ମୂଳକ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ସରପଞ୍ଚ ଶ୍ରୀମତୀ ସେନାପତି ପଞ୍ଚାୟତର ହାଲପୁର, ମରଡପୁର ଓ ନାନକାର ପ୍ରଭୃତି ୩ଟି ଗ୍ରାମରେ ଥିବା ପାନୀୟ ଜଳ ସଙ୍କଟର ସମାଧାନ ନିମନ୍ତେ ୮୩ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ‘ଜଳ ଜୀବନ’ ଯୋଜନାରେ ତିନିବର୍ଷ ପୂର୍ବେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନରେ ପଞ୍ଚାୟତ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଜମା କରିଥିଲେ ସରପଞ୍ଚ । ସେହି ପ୍ରକଳ୍ପ ଦ୍ୱାରା ୩ଟି ଗ୍ରାମର ୩ହଜାର ୫ଶହ ଲୋକ ଉପକୃତ ହୋଇପାରିବେ । ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିବାରୁ ସରପଞ୍ଚ ଶ୍ରୀମତୀ ସେନାପତି ତାଙ୍କ ପ୍ରତିଶୃତି ରକ୍ଷାକରି ଏପରି ଏକ ଅତ୍ୟାବଶ୍ୟକ ପ୍ରକଳ୍ପର ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ ରବିନାରାୟଣ ପଣ୍ଡାଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିବା ବେଳେ ସରପଞ୍ଚଙ୍କ ପ୍ରତିନିଧି ବିଦ୍ୟୁତ ରଞ୍ଜନ ସେନାପତି,ସୁରେନ୍ଦ୍ର କୁମାର ସ୍ୱାଇଁ, ୱାର୍ଡ ସଭ୍ୟ ମମତା ବେହେରା, ଶିବ ସୁନ୍ଦର ବାରିକ, ଗଣେଶ୍ୱର ମଲ୍ଲିକ, ନିର୍ମଳ ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


