ପାନୀୟ ଜଳ ସମସ୍ୟା ଗୁଡିକର ସମାଧାନ ସକାଶେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ପଂଚାୟତରର ୩ ଟି ଗ୍ରାମର ପାନୀୟଜଳ ସମସ୍ୟାର ସମାଧାନ ନିମନ୍ତେ ଗୁରୁବାର ବହୁ ଗ୍ରାମବାସୀ ମାନେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସୁବଳୟା ଗ୍ରାମ ପଂଚାୟତର ବାହାଡାପଲ୍ଲୀ, ବାଦପଲ୍ଲୀ ଓ ହରିଜନ ବେଲପଡା ଗ୍ରାମରେ ଦୀର୍ଘ ଦିନ ହେଲା ପାନୀୟ ଜଳର ଉତ୍କଟ ସମସ୍ୟା ରହିଆସିଛି । ସଂପ୍ରତି ଭୀଷଣ ଖରା ଯୋଗୁଁ ଗ୍ରାମରେ ଥିବା ପାନୀୟ ଜଳ ଉତ୍ସ ଗୁଡିକ ଶୁଖି ଗଲାଣି । ଉକ୍ତ ଗ୍ରାମ ମାନଙ୍କରେ ପିଇବା ପାଣି ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ବହୁ ଦିନ ହେଲା ସେ ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ପୂର୍ବରୁ ସେମାନେ ପଂଚାୟତ ଓ ବ୍ଲକ ପ୍ରତିନିଧି ମାନଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଖରାର ପ୍ରକୋପ ଏବେ ଠାରୁ ଏତେ ମାତ୍ରାରେ ବଢି ଚାଲିଲାଣି ଯେ, ଏବେଠୁ ହିଁ ସେମାନଙ୍କ ଗ୍ରାମରେ ପିଇବା ପାଣି ପାଇଁ ସମସ୍ୟା ଦେଖାଦେଲାଣି । ଏଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ସେମାନେ ଏହି ସ୍ମାରକ ପତ୍ର ରେ ଦର୍ଶାଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ବସନ୍ତ ଦାସ, ସିମାଞ୍ଚଳ ଦାସ, ତୁଳସା ଦାସ, ଚୈତନ୍ୟ ଦାସ, ଅଭିମନ୍ୟୁ ଦାସ, ସନ୍ତୋଷ କୁମାର ନାୟକ, ଚନ୍ଦ୍ରମା ନାୟକ, ଭିକା ଦାସ, ସୁଶାନ୍ତ ଦାସ, ଅମର ଦାସ, ମିନା ଦାସ, ସୁରେଶ ଚନ୍ଦ୍ର ନାୟକଙ୍କ ସମେତ ବାହାଡାପଲ୍ଲୀ, ବାଦପଲ୍ଲୀ ଓ ହରିଜନ ବେଲପଡା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।


