ପାରଳାରେ ଭକ୍ତକବି ଗୋପାଳକୃଷ୍ଣଙ୍କ ୨୩୭ତମ ଜୟନ୍ତୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡିର ଗର୍ବ ଗୌରବ ଓ ଏ ମାଟିର ଅମୃତ ସନ୍ତାନ ଭକ୍ତକବି ଗୋପାଳକୃଷ୍ଣଙ୍କ ୨୩୭ତମ ଜୟନ୍ତୀ ଉତ୍ସବ କୋଭିଡ-୧୯ ନିୟମ ଅନୁଯାୟୀ ଚଳିତ ବର୍ଷ ଅତ୍ୟନ୍ତ ନିରାଡମ୍ବର ଭାବେ ପାଲନ କରାଯାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଗୋପାଳ କୃଷ୍ଣ ସ୍ମୃତି କଳାପରିଷଦ ପକ୍ଷରୁ ଭକ୍ତକବି ଗୋପାଳକୃଷ୍ଣଙ୍କ ୨୩୭ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ କରଣ ସାହି ସ୍ଥିତ ଗୋପାଳକୃଷ୍ଣ କୁଟୀର ପରିସରରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଡ.ଭୂବନେଶ୍ୱର ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ନିରାଡମ୍ବର ସହକାରେ ଆଜି ପୂର୍ବାହ୍ନରେ ପାଳିତ ହୋଇଛି । ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ମାସ୍କ ପରିଧାନ କରି ପରିଷଦ ତରଫରୁ ଗୋପାଳ କୃଷ୍ଣ କୁଟୀରରେ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିବାପରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରୁଣା ଯୁଗର ମହାନ କାଳଜୟୀ କବି ଗୋପାଳ କୃଷ୍ଣଙ୍କ ବହୁମୁଖୀ ପ୍ରତିଭା ଏବଂ ପାରଳାଖେମୁଣ୍ଡି ତଥା ଗଜପତିର ଗର୍ବ ଓ ଗୌରବ ଶାସ୍ତ୍ରୀୟ ଭିତ୍ତିରେ ଲିଖିତ ପଦ୍ୟାବଳୀ ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରଜାନନ୍ଦ ପଟ୍ଟନାୟକ, ହରିମୋହନ ପଟ୍ଟନାୟକ, ବିଚିତ୍ରା ନନ୍ଦ ବେବର୍ତ୍ତା, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଆଲୋଚନାରେ ଯୋଗଦେଇଥିଲେ ।


