ପାରଳା ମ୍ୟୁନିସିପାଲିଟିର ଜଳଛତ୍ରରେ ଗୋଳିଆ ପାଣି ଯୋଗାଣ ନେଇ ଜନ ଅସନ୍ତୋଷ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ପକ୍ଷରୁ ଜଳଛତ୍ର ଖୋଲା ଯାଇଛି । ହେଲେ ସେଠାରେ ଗୋଳିଆ ପାଣି ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି । ଜଳଛତ୍ରରେ ଏଭଳି ଗୋଳିଆ ପାଣି ଯୋଗାଣ ନେଇ ସାଧାରଣଙ୍କ ଠାରେ ବେଶ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ସହରରେ ଦିନକୁ ଦିନ ତାପମାତ୍ର ବଢିଚାଲିଥିଲେ ମଧ୍ୟ ଜଳଛତ୍ର ଖୋଲାଯାଇ ନଥିଲା । ଏନେଇ ଖବରକାଗଜ ଗୁଡିକରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଏହାକୁ ଦୃଷ୍ଟିରେ ରଖି ପୌରପ୍ରଶାସନ ତରଫରୁ ଜଳଛତ୍ର ଖୋଲାଯାଇଛି । ସ୍ଥାନୀୟ କଲେଜ ଛକ ଅଟୋଷ୍ଟାଣ୍ଡ ଠାରେ ଖୋଲାଯାଇଥିବା ଜଳଛତ୍ରକୁ ଲୋକେ ଅଂଶୁଘାତ ଦାଉରୁ ରକ୍ଷାପାଇବା ଉଦ୍ଦେଶ୍ୟରେ ପାଣି ପିଇବା ପାଇଁ ବିକଳରେ ଆସୁଛନ୍ତି । ହେଲେ ସେଠାରେ ସଫା ପାଣି ବଦଳରେ ଗୋଳିଆ ପାଣି ଦିଆ ଯାଉଥିବାରୁ ଆସୁଥିବା ଯାତ୍ରୀ ମାନେ ବର୍ତ୍ତମାନ ଚାଲିଥିବା କରୋନା ସଂକ୍ରମଣକୁ ଭୟଭୀତା ବେଳେ ଏହି ଗୋଳିଆ ପାଣିକୁ ଦେଖି ଅସନ୍ତୋଷ ପ୍ରକାଶ କରି ପାଣି ନପିଇ ଚାଲିଯାଉଛନ୍ତି । ଉକ୍ତ ପାଣିକୁ ଦେଖିଲେ କେହି କେହି ଏହା ପିଇବା ପାଇଁ ରଖାଯାଇଛି ନା ଶୌଚ ପାଇଁ ରଖାଯାଇଛି ବୋଲି ପ୍ରଶ୍ନ କରି ଫେରି ଯାଉଛନ୍ତି । ଏହା ସମ୍ପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ମୋବାଇଲ ଦ୍ୱରା ଯୋଗାଯୋଗ ପାଇଁ ବହୁ ଥର କଲ କରିବା ସତ୍ତ୍ୱେ ମୋବାଇଲ ଲିଫ୍ଟ କରୁନଥିବା ଯୋଗୁଁ କୌଣସି ଉତ୍ତର ମିଳିପାରି ନାହିଁ ।


