ପାରାଦ୍ୱୀପରେ ୭୪ତମ ସ୍ୱାଧିନତା ଦିବସ ପାଳିତ
ପାରାଦ୍ୱୀପ,( ପୀତବାସ ପ୍ରଧାନ): ପାରାଦ୍ୱୀପ ବନ୍ଦର ସମେତ ପାରାଦ୍ୱୀପ ଅଞ୍ଚଳର ବିଭିନ୍ନ ଶିଳ୍ପସଂସ୍ଥା ଓ ଗଣଅନୁଷ୍ଠାନ ପକ୍ଷରୁ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । କୋଭିଡ୍-୧୯ର ନିୟମାବଳୀ କୁ ପାଳନ କରି ଚଳିତ ବର୍ଷ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଗୋପବନ୍ଧୁ ଷ୍ଟାଡିୟମ ଠାରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କେବଳ ସିଆଇଏସ୍ଏଫ୍ ର ତିନିଗୋଟି ଦଳ ପ୍ୟାରେଡ୍ରେ ସାମିଲ ହୋଇଥିଲେ । କୋରୋନା ର ପ୍ରଭାବ ଯୋଗୁଁ କୌଣସି ଶିକ୍ଷାନୁଷ୍ଠାନ ପ୍ୟାରେଡ୍ ଦଳ ସାମିଲ ହୋଇନଥିଲେ । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ଅଭିଭାଷଣରେ କହିଥିଲେ ୨୦୧୭-୧୮ ଆଥିକ ବର୍ଷରେ ୧୦୦ ମିଲିୟନ ଟନ୍ ପଣ୍ୟ କାରବାର କରିଥିବା ପାରାଦ୍ୱୀପ ବନ୍ଦର ୨୦୨୦-୨୧ରେ ଦେଶର ଏକ ନମ୍ବର ବନ୍ଦର ହୋଇପାରିଛି । ଏଥି ନିମନ୍ତେ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ପାରାଦ୍ୱୀପ ବନ୍ଦର ରେ କଣ୍ଟେନର ସେବା ଆରମ୍ଭ ହୋଇଛି ଯାହା ରାଜ୍ୟର କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସହାୟକ ହେବ । ତିନିଗୋଟି ବର୍ଥର ଯାନ୍ତ୍ରିକ କରଣ କାର୍ଯ୍ୟ ଚାଲୁ ରହିଛି । ରାଜ୍ୟ ସରକାର ଓ କେନ୍ଦ୍ରସରକାର ମିଳିତ ଭାବେ କୋରୋନା ବିରୋଧି ଲଢେଇ ରେ ସାମିଲ ହୋଇଛନ୍ତି । ପାରାଦ୍ୱୀପ ବନ୍ଦର ଓ ରାଜ୍ୟ ସରକାରଙ୍କ ଚୁକ୍ତିନାମା ଅନୁଯାୟୀ ପାରାଦ୍ୱୀପ ବନ୍ଦର ବିଜୁ ଯାତ୍ରୀ ନିବାସ ରେ ୬୫ବେଡ୍ କୋଭିଡ୍ କେୟାର ହସ୍ପିଟାଲ ଲୋକାର୍ପଣ ହୋଇଛି । ୨୦୦ ବେଡ୍ କୋଭିଡ୍ କେୟାର ସେଣ୍ଟର ଟ୍ରେଡ୍ ସେଣ୍ଟରରେ ଓ ୫୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପୋର୍ଟ କ୍ଳବ୍ରେ ପ୍ରତିଷ୍ଠା କରିଛୁ ବୋଲି ସେ କହିଥିଲେ । ଏହି ଅବସରରେ ସିଆଇଏସ୍ଏଫ୍ ର ୩ କୋରୋନା ଯୋଦ୍ଧାଙ୍କୁ ବନ୍ଦର ଅଧ୍ୟକ୍ଷ ସମ୍ବର୍ଦ୍ଧନା ଦେଇଥିଲେ । ସେହିପରି ପାରାଦ୍ୱୀପ ରିଫାଇନାରୀ ପକ୍ଷରୁ କ୍ରୀଡା କେନ୍ଦ୍ର ପରିସରରେ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ରିଫାଇନାରୀ ର ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ଟିଭିଭିଏସ୍ ଗୋପାଳ କ୍ରିଷ୍ଣା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସିଆଇଏସ୍ଏଫ୍ ପକ୍ଷରୁ ତାଙ୍କୁ ଅଭିବାଦନ ଦିଆଯାଇଥିଲା, ଶ୍ରୀ ଗୋପାଳକ୍ରିଷ୍ଣା ସ୍ୱାଧିନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ପିଏକ୍ସ-ପିଟିଏ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଇଛି । ଏସଇଜି ଭଳି ପ୍ରକଳ୍ପ ଚାଲୁ ରହିଛି । ଯାହା ଓଡିଶାର ପ୍ଳାଷ୍ଟିକ୍ ଓ ଟେକ୍ଷ୍ଟାଇଲ୍ ଶିଳ୍ପ କ୍ଷେତ୍ରରେ ବ୍ୟାପକ ସହାୟକ ହେବ । ଏହା କେନ୍ଦ୍ର ସରକାରଙ୍କର ଆତ୍ମନିର୍ଭର ଭାରତର ଅଂଶ ବିଶେଷ ।


