ପାରାଦ୍ୱୀପ ଟ୍ରାଫିକ୍ ନିୟନ୍ତ୍ରଣରେ ସହଯୋଗ କରିବେ ୨୬ ସ୍ୱେଚ୍ଛାସେବୀ

ପାରାଦ୍ୱୀପ, (ପିତବାସ ପ୍ରଧାନ):ପାରାଦ୍ୱୀପ ବନ୍ଦରକୁ ପ୍ରତିଦିନ ହଜାର ହଜାର ଟ୍ରକ ପଣ୍ୟ ବୋଝେଇ ଓ ଖଲାସ କରିବାକୁ ଆସୁଛନ୍ତି । ଯହାଦ୍ୱାରା ଟ୍ରଫିକ ସମସ୍ୟା ଅନେକ ଥର ଘଟୁଛି । ଦୁର୍ଘଟଣାରେ ବହୁ ମୁଲ୍ୟବାନ ଜୀବନ ଅକାଳରେ ଲିଭିଯାଉଛି । ପାରାଦ୍ୱୀପ ବନ୍ଦରକୁ ନେଇ ଅନେକ ଛୋଟବଡ ଶିଳ୍ପ ସଂସ୍ଥା ମଧ୍ୟ ଗଢିଉଠିଛି । ସେହି ଅନୁପାତରେ ଏଠାରେ ଲୋକସଂଖ୍ୟା ଓ ଗାଡିମଟର ସଂଖ୍ୟା ମଧ୍ୟ ବଢିଛି । ଏହାକୁ ନେଇ ଅନେକ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟିଛି । ଟ୍ରାଫିକ ନିୟନ୍ତ୍ରଣରେ ବହୁ ସମସ୍ୟା ମଧ୍ୟ ଦେଖାଦେଉଛି । ମଙ୍ଗଳବାର ଦିନ ଟ୍ରାଫିକ ନିୟନ୍ତ୍ରଣରେ ପୋଲିସକୁ ସହଯୋଗ କରିବା ପାଇଁ ୨୬ଜଣ ସ୍ୱେଚ୍ଛାସେବୀଙ୍କୁ ନିୟୋଜନ କରାଯାଇଛି । ଏହି ଅବସରରେ ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମରେ ଏକ ନିରାଡମ୍ବର ସମାରୋହ ଆୟୋଜିତ ହୋଇଥିଲା । ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ରଙ୍ଗରାଜନ, ପାରାଦ୍ୱୀପ ଏଏସ୍‌ପି ବିଷ୍ଣୁୁ ଚରଣ ମିଶ୍ର, ଜଗତସିଂହପୁର ଏଏସ୍‌ପି ବିଶ୍ୱନାଥ ମିଶ୍ର, ପାରାଦ୍ୱୀପ ଏଡିଏମ୍ କାହ୍ନୁ ଚରଣ ଧିର ପ୍ରମୁଖ ଏହି ଉତ୍ସବରେ ଯୋଗଦେଇଥିଲେ । ପାରାଦ୍ୱୀପ ଅଞ୍ଚଳର ଜନକଲ୍ୟାଣ ଟ୍ରଷ୍ଟର ୨୬ଜଣ ସ୍ୱେଚ୍ଛାସେବୀଙ୍କୁ ବନ୍ଦର ଅଧ୍ୟକ୍ଷ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରିଚୟ ପତ୍ର ପ୍ରଦାନ କରିଥିଲେ । ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଏହି ସ୍ୱେଚ୍ଛାସେବୀ ମାନଙ୍କୁ ସହାୟତା ଯୋଗାଇଦେବେ । ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ପାଣ୍ଠିରୁ ଏହି ମହତକାର୍ଯ୍ୟରେ ସହଯୋଗ କରିଥିବାରୁ ଆରକ୍ଷୀ ଅଧିକ୍ଷକ ବନ୍ଦର ଅଧ୍ୟକ୍ଷକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ପାରାଦ୍ୱୀପ ବନ୍ଦର ଦ୍ୱାରା ଏକ ଓଭର ବ୍ରିଜ୍ ନିର୍ମାଣ ହେବ ବୋଲି ଆରକ୍ଷୀ ଅଧିକ୍ଷକ କହିଥିବା ବେଳେ ପାରାଦ୍ୱୀପରେ ଟ୍ରାଫିକ୍ ଥାନା ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଥିବା କହିଥିଲେ । ଏହି କାର୍ଯ୍ୟକ୍ରମକୁ ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲ ପରିଚାଳନା କରିଥିବା ବେଳେ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ