ପାଳଗଦାରେ ନିଆଁ ଲାଗିବାକୁ ନେଇ ବାପାପୁଅକୁ ଆକ୍ରମଣ : ଜଣେ ଗୁରୁତର
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ସାମାନ୍ୟ ପାଳଗଦାରେ ନିଆଁ ଲାଗିବାକୁ ନେଇ ଦୁଇଭାଇଙ୍କର ଆକ୍ରମଣ ରେ ଅନ୍ୟ ଏକ ପରିବାରର ବାପପୁଅ ଗୁରୁତର ଆହତ ହୋଇଛନ୍ତି । କାତି ଚୋଟରେ ମୁଣ୍ଡ,କାନ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁବାର ବାପପୁଅ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।ପୁଅର ଅବସ୍ଥା ଅତି ଗୁରୁତର ଥିବାରୁ ତା’କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି । ରିପୋର୍ଟ ଲେଖା ହେବା ବେଳକୁ ଥାନାରେ ମାମଲା ହୋଇନଥିବା ପୋଲିସ ସୁତ୍ରରୁ ପ୍ରକାଶ । ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣୀପଲ୍ଲୀ ଆଡୁଆ ସାହିର ପ୍ରକାଶ ବେହେରାଙ୍କ ପୁଅ ସୁନୀଲ ଓ ରାଜା ଠାକୁରାଣୀ ପାଖରେ ଅଳିଆ ଗଦାରେ ନିଆଁ ଲଗାଇଥିଲେ । ସେହି ନିଆଁ ପାଖରେ ଥିବା କାଳିଆ ବେହେରାଙ୍କ ପାଳଗଦାକୁ ବ୍ୟାପି ପାଳଗଦାଟି ପୋଡ଼ି ଯାଇଥିଲା ।ପରେ କାଳିଆ ବେହେରା କିଏ ନିଆଁ ଲଗେଇଲେ ବୋଲି କିଛି ଲୋକଙ୍କୁ ପଚାରିଥିଲେ । ସେହି ଗ୍ରାମର ବାପା ଟୁନା ବିଶ୍ୱାଳ(୪୮), ପୁଅ ମହେଶ୍ୱର ବିଶ୍ୱାଳ(୨୦) ଏ ଦୁହେଁ କୁଆଡେ କାଳିଆକୁ ସୁନୀଲ ଓ ରାଜା ନିଆଁ ଲଗେଇଥିବା କହିଦେଇଥିବା ସନ୍ଦେହ କରି ଉଭୟ ଦୁଇଟି କାତି ଧରି ଆଜି ଦିନ ଗୋଟାଏ ବେଳେ କାତିରେ ହାଣି ଟୁନା ଓ ମହେଶ୍ବର କୁ ଆକ୍ରମଣ କରିଥିଲେ । ଉଭୟ ଗୁରୁତର ହେବାରୁ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ମହେଶ୍ୱର ର ହାତରେ ଗଭୀର ଆଘାତ ଲାଗିଥିବାରୁ ତାକୁ କଟକ ବଡ ଡାକ୍ତରଖାନା ପଠାଯାଇଥିବା ଜଣାପଡିଛି । ଏ ନେଇ ଗାଙ୍ଗପୁର ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ଙ୍କ ପ୍ରତିକ୍ରିୟା ନେବାରୁ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ବୋଲି ଜଣାଇ ଘଟଣାସମ୍ପର୍କରେ ଅନୁସନ୍ଧାନ କରିବେ ବୋଲି ପ୍ରକାଶ କରିଛନ୍ତି ।


