ପିଆଜ ଦର କନ୍ଦାଉଛି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ ପରିବାର ମୁଣ୍ଡରେ ଚଡ଼କ ପକାଇଛି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ପିଆଜ ଦର ଦିନକୁ ଦିନ ବଢି ଚାଲିଛି । ଖୁଚୁରା ବଜାରରେ ପିଆଜ ଦର କିଲୋ ପ୍ରତି ୮୦ ଟଙ୍କାକୁ ଛୁଇଁଲାଣି । ଘର ଖର୍ଚ୍ଚ ପାଇଁ କିଲୋ ଜାଗାରେ ଅଢେଇ ଶହ ଗ୍ରାମରେ କାମ ଚଲାଇବାକୁ ପଡ଼ୁଛି । ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପିଆଜ ଦର କମିବା ଆଶା କ୍ଷୀଣ ବୋଲି ପିଆଜ ଆମଦାନୀ କରୁଥିବା କେତେକ ବ୍ୟବସାୟୀ କହିଛନ୍ତି । ପିଆଜ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ସ୍ଥାନୀୟ ଯୋଗାଣ ବିଭାଗୀୟ ଅଧିକାରୀଙ୍କ ନିରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇଦେବା ଦିଗରେ ବରିଷ୍ଟ ବିଜେପି ନେତା ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର ଦାବି କରିଛନ୍ତି । ହିଂଜିଳିକାଟୁ ପୌରାଂଚଳ ଓ ଏହାର ଆଖପାଖ ଅଂଚଳରେ ପିଆଜ ଦର ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ପିଆଜ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପିଆଜ ଦରକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାୁନଥିବା ଅଭିଯୋଗ ହେଉଛି । ପିଆଜ ଦର ଆକାଶ ଛୁଆଁ ଭାବେ ବଢିଚାଲିଥିବା ବେଳେ ଆଗକୁ ଆହୁରି ବଢିବା ସହ ଦର ସେଂଚୁରି ମାରିବ ବୋଲି ଅଂଚଳବାସୀଙ୍କ ମଧ୍ୟରେ ଛନକା ପଶିଛି । ଓଡ଼ିଶାରେ ପ୍ରାୟ ଆବଶ୍ୟକ ପରିମାଣରେ ପିଆଜ ଅମଳ ହେଉନଥିବାରୁ ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ ବୋଲି ଜଣେ ପିଆଜ ବ୍ୟବସାୟୀ କହିଛନ୍ତି । ପିଆଜ କାଟିଲେ ନୁହେଁ, ପିଆଜ କିଣିଲେ ଆଖିରୁ ଲୁହ ଝରୁଛି ବୋଲି ଖାଉଟି କହିଛନ୍ତି । ଗତ କିଛି ଦିନ ମଧ୍ୟରେ ପିଆଜର ଖୁଚୁରା ଦର କିଲୋ ପ୍ରତି ୮୦ ଟଙ୍କା ଅତିକ୍ରମ କରିଛି । ପରିସ୍ଥିତି ଆୟତ ନହେଲେ ଆଗକୁ ପିଆଜ ଦା ସେଂଚୁରି ଛୁଇଁବ ବୋଲି ଆଶଙ୍କା ପ୍ରକାଶ ପାଇଛି । କହିବାକୁ ଗଲେ ପିଆଜ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତୁପକ୍ଷ ତୁରନ୍ତ ଧ୍ୟାନ ଦେଇ ପିଆଜ ଦରକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।


