ପୁଅର ମୃତ୍ୟୁ ମାଆକୁ କରିଦେଲା ଡାକ୍ତର
ମିରଟ: ଉତ୍ତରପ୍ରଦେଶ ମିରଟର ରେଲୱେ ରୋଡ ଥାନା ଅଞ୍ଚଳର ରାମକୁଟୀରରେ ଡା. ମଞ୍ଜୁ ମିତ୍ତଲ ସ୍ୱାମୀ ସତେନ୍ଦ୍ର ମିତ୍ତଲ, ୨ ପୁଅ ହରିତ ଓ ଲସିତ ସହିତ ବସବାସ କରନ୍ତି । ଡା. ମଞ୍ଜୁ ମିତ୍ତଲଙ୍କ ବଡ଼ ପୁଅକୁ ୯ବର୍ଷ ହୋଇଥିବା ବେଳେ ସେ ହଠାତ ରୋଗଗ୍ରସ୍ତ ହୋଇ ପଡ଼ିଥିଲା । ଚିକିତ୍ସା ପାଇଁ ଡା. ମଞ୍ଜୁ ମିତ୍ତଲ ସ୍ୱାମୀ ସତେନ୍ଦ୍ର ମିତ୍ତଲ ପୁଅକୁ ଡାକ୍ତରଙ୍କ ପାଖକୁ ନେଇଥିଲେ ହେଁ ସେଠାରେ ଡାକ୍ତର ରୋଗ ଚିହ୍ନି ପାରି ନଥିଲେ । ଫଳରେ ମଞ୍ଜୁଙ୍କ ବଡ଼ ପୁଅ ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା । ଅନେକ ଚେଷ୍ଟା ପରେ ବି ପୁଅକୁ ବଞ୍ଚାଇ ନ ପାରିବାରୁ ମଞ୍ଜୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲେ । ପୁଅର ମୃତ୍ୟୁ ପରେ ମନକୁ ଦୃôଢ଼ କରି ଡାକ୍ତର ବନି ଲୋକଙ୍କୁ ସାହାଯ୍ୟ କରିବେ ବୋଲି ପଣ ନେଇଥିଲେ । ଏହାପରେ ମଞ୍ଜୁ ହୋମିଓପାଥି ଅଭ୍ୟାସ କରିବା ଆରମ୍ଭ କରି ଦେଇଥିଲେ । ମନପ୍ରାଣ ଦେଇ ହୋମିଓପାଥି ଅଭ୍ୟାସ କରିବା ସହିତ ହୋମିଓପାଥିର ଶିକ୍ଷା ଶେଷ କରିଥିଲେ । ଧୀରେ ଧୀରେ ସେ ହୋମିଓପାଥି ଜରିଆରେ ଲୋକଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ଦୀର୍ଘ ୨୬ ବର୍ଷ ହେଲାଣି ମଞ୍ଜୁ ଲୋକଙ୍କର ଚିକିତ୍ସା ମାଗଣାରେ କରିଆସୁଛନ୍ତି । ଚିକିତ୍ସା ପାଇଁ ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ମିରଟରୁ ଲୋକେ ମଞ୍ଜୁଙ୍କ ପାଖକୁ ରୋଗ ଠିକ୍ କରିବା ପାଇଁ ଧାଇଁ ଆସିଥାଆନ୍ତି ।


