ପୁଟିନ୍‌ଙ୍କ ଗାଳି ଶୁଣି ରୁଷ ରକ୍ଷା ମନ୍ତ୍ରୀଙ୍କୁ ହାର୍ଟ ଆଟାକ୍‌

ନୂଆଦିଲ୍ଲୀ, (ୱାଇଏନ୍ଏସ୍) : କିଭ୍‌: ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ବିତିଗଲାଣି ମାସେରୁ ଅଧିକ ସମୟ। ତଥାପି ଥମୁନି ଯୁଦ୍ଧ। ୟୁକ୍ରେନ୍‌କୁ ଦଖଲ କରିବାରେ ଏବେବି ସଫଳ ହୋଇପାରିନି ରୁଷ। ଏହାରି ଭିତରେ ରାଗି ଯାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏପରିକି ଏହାକୁ ନେଇ ପୁଟିନ୍‌ ଓ ରୁଷ ରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ପୁଟିନଙ୍କ ଠାରୁ ଗାଳି ଶୁଣିବା ପରେ କୁଆଡେ ରୁଷ ରକ୍ଷା ମନ୍ତ୍ରୀଙ୍କ ହୃଦ୍‌ଘାତ ହୋଇଥିବା ନେଇ ୟୁକ୍ରେନ୍‌ ଦାବି କରିଛି। ୟୁକ୍ରେନୀୟ ଗୃହମନ୍ତ୍ରାଳୟରେ କାର୍ଯ୍ୟରତ ଆଣ୍ଟୋନ୍‌ ଗେରାଶ୍ଚେଙ୍କୋ ଫେସ୍‌ବୁକ୍‌ରେ ଲେଖିଛନ୍ତି ଯେ, ପୁଟିନ୍‌ଙ୍କ ସହିତ ଯୁକ୍ତିତର୍କ ହେବା ଘରେ ହୃଦ୍‌ଘାତ ଯୋଗୁଁ ମାର୍ଚ୍ଚ ୧୧ ଠାରୁ ଶୋଇଗୁ ଆଉ ଲୋକଲୋଚନକୁ ଆସିନାହାନ୍ତି। ୟୁକ୍ରେନ୍‌ ଆକ୍ରମଣ ସମ୍ପୂର୍ଣ୍ଣ ବିଫଳ ହେବା ଯୋଗୁଁ ପୁଟିନ୍‌ ଯେଭଳି ତାଙ୍କୁ ଅପବାଦ ଦେଲେ ସେଥିରେ ଶୋଇଗୁଙ୍କ ହୃଦ୍‌ଘାତ ହୋଇଛି। ମାର୍ଚ୍ଚ ୨୪ ତାରିଖ ଦିନ ରୁଷ ରକ୍ଷା ମନ୍ତ୍ରୀଙ୍କୁ ଟେଲିଭିଜନରେ ଦେଖିବାକୁ ମିଳିଥିଲା। ତେବେ ତାଙ୍କର ଏହି ଭିଡିଓ ଫୁଟେଜ ପୁରୁଣା ଥିଲା ନା ସେହିଦିନର, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ମାର୍ଚ୍ଚ ୨୪ ତାରିଖରେ ପୁଟିନ୍‌ ଓ ଶୋଇଗୁଙ୍କ ମଧ୍ୟରେ ହୋଇଥିବା ଏହି ଭିଡିଓ କଲ୍‌ ଦୃଶ୍ୟଟି ଜାଲ୍‌ ବୋଲି ୟୁକ୍ରେନ କହିଛି। ଏହାଛଡ଼ା, ଶୁକ୍ରବାର ଦିନ ପାଶ୍ଚାତ୍ୟ ରାଷ୍ଟ୍ରର ସରକାରୀ ଅଧିକାରୀମାନେ ମଧ୍ୟ କହିଛନ୍ତି ଯେ, ୟୁକ୍ରେନ ଆକ୍ରମଣରେ ଏ ପର୍ଯ୍ୟନ୍ତ ୭ଜଣ ରୁଷ ଜେନେରାଲ୍‌ଙ୍କର ମୃତ୍ୟୁ ଘଟିଛି। ମାର୍ଚ ୧୧ ତାରିଖ ଠାରୁ ଶୋଇଗୁଙ୍କର ଦେଖା ନ ମିଳୁ ଥିବାରୁ ତାଙ୍କର ଅବସ୍ଥିତି ସଂକ୍ରାନ୍ତରେ ନାନା କଳ୍ପନାଜଳ୍ପନା ଚାଲିଛି। ହଠାତ୍‌ ଅନ୍ତର୍ଦ୍ଧାନ ହୋଇ ଯାଇଥିବାରୁ କ୍ରେମ୍‌ଲିନ୍‌ ତାଙ୍କୁ ଶାସ୍ତି ଦେଇଥିବା ଗୁଜବ ମଧ୍ୟ ଉଠିଛି। କାରଣ ସେ କାରକିଭ୍‌ ଅଥବା କିଭ ଭଳି ପ୍ରମୁଖ ୟୁକ୍ରେନ ନଗରୀକୁ ଏଯାବତ୍‌ ଦଖଲ କରିପାରିନାହାନ୍ତି। ସେପଟେ ରକ୍ଷା ମନ୍ତ୍ରୀଙ୍କ ହଠାତ ଗାଏବ ହୋଇଯିବା ଖବରକୁ ନେଇ କ୍ରେମ୍‌ଲିନ୍‌ ମୁଖପାତ୍ର କହିଛନ୍ତି, ସ୍ୱତନ୍ତ୍ର ସାମରିକ ଅଭିଯାନ ଚାଲିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ବ୍ୟସ୍ତ ରହିବା ସ୍ୱାଭାବିକ କଥା। ସାମ୍ବାଦିକମାନଙ୍କ ସହ କଥାବର୍ତ୍ତା କରିବା ଲାଗି ଏହା ତାଙ୍କ ପାଇଁ ପ୍ରକୃଷ୍ଟ ସମୟ ନୁହେଁ। ଉଲ୍ଲେଖଯୋଗ୍ୟ, ଶୋଇଗୁଙ୍କୁ ୟୁକ୍ରେନ ଯୁଦ୍ଧର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ