ପୁଣି ଫେରିଲା ସତର୍କ ଘଣ୍ଟି ମୁକାବିଲା ପାଇଁ ସତର୍କତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଭାରତରେ ପୁଣି ଠାବ ହୋଇଛି ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନାର ପରିବର୍ତ୍ତିତ ରୂପ(ଷ୍ଟ୍ରେନ)।ଏହା ଜଣାପଡିବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।ସମ୍ପ୍ରତି ଦେଶର ଛତିଶଗଡ଼,ପଞ୍ଜାବ,କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ଭଳି ୫ ଟି ରାଜ୍ୟରେ ଏହି ଷ୍ଟ୍ରେନ ଜଣାପଡିବା ପରେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।କିଛି ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି ଓ ମୁକାବିଲା ପାଇଁ ସେଠାକାର ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।ଲକଡାଉନ ଭଳି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅନ୍ୟାନ୍ୟ ପ୍ରୟାସ ଆରମ୍ଭ କରାଯାଇଛି।ଏଭଳି ଏକ ଚିନ୍ତାଜନକ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଓପି ଜାରୀ କରି ସତର୍କତା ଅବଲମ୍ବନ କରିବା ସକାଶେ ପତ୍ର ଲେଖିଛନ୍ତି।ଯଦିଓ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଛି ତଥାପି ପଡୋଶୀ ଛତିଶଗଡ଼ ରାଜ୍ୟରେ ଦକ୍ଷିଣ ଆଫ୍ରିକା/ବ୍ରିଟେନ ଷ୍ଟ୍ରେନର ପ୍ରଭାବ ରାଜ୍ୟ ସରକାରଙ୍କୁ ଚିନ୍ତା ଘାରିଛି।ଏହି ମର୍ମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ଜିଲ୍ଲାର ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ କରୋନା ସତର୍କତା ପାଇଁ ପୂର୍ଵ ସର୍ତ୍ତାବଳୀ ଓ ନିୟମ ଅନୁପାଳନ ଉପରେ ଗୁରୁତ୍ୱାରୋପ କରି ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟତଃ ବଜାର ଓ ଧାର୍ମିକ ସ୍ଥଳୀରେ ଗହଳି ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ କର୍ମଚାରୀ ମାନେ ମୁଁହରେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାଧ୍ୟତାମୂଳକ ନିର୍ଦ୍ଦେଶ ଦିଆଯାଇଛି।ତହସିଲଦାର,ବିଡ଼ିଓ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଥାନା ଅଧିକାରୀଙ୍କ ସହଯୋଗ ରେ ମାସ୍କ ଚେକପଇଣ୍ଟ ସ୍ଥାପନ କରି ଉଲ୍ଲଙ୍ଘନ କାରୀଙ୍କ ପ୍ରତି କଡାକଡି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସ୍ଥାନୀୟ ପୌରାଞ୍ଚଳ ଓ ବ୍ଲକ ସ୍ତରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ପଞ୍ଚସୁତ୍ରୀ ନିୟମ ଅନୁପାଳନ କରିବା ସହ ମାସ୍କ ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି।ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ କରୋନା ମୁକ୍ତ ସାର୍ଟିଫିକେଟ ବ୍ୟବହାର କରିବା ପାଇଁ କୁହାଯାଇଛି।କିନ୍ତୁ ଗତ ୩ ମାସ ହେଲା କୋଭିଡ ନିୟମ ଭାଙ୍ଗିବା ଜନସାଧାରଣଙ୍କ ମଧ୍ୟରେ ଏକ ସାଧାରଣ କଥା ହେଲାଣି।ପୁଲିସ କିମ୍ବା ସ୍ଥାନୀୟ ପ୍ରଶାସନ ମଧ୍ୟ ପୂର୍ବଭଳି ସାମାଜିକ ଦୂରତା ରକ୍ଷା କିମ୍ବା ମାସ୍କ ବ୍ୟବହାର ଉପରେ ସେତେଟା ଗୁରୁତ୍ୱ ପ୍ରଦାନ କରୁନାହିଁ।ଫଳରେ ପନି ପରିବା ବଜାର, ଆମିଷ ବଜାର, ଉପଖଣ୍ଡ ଚିକିତ୍ସାଳୟ,ନୂତନ ବସ ଟର୍ମିନାଲ, ଫାଷ୍ଟଫୁଡ଼ ଦୋକାନ ଆଦି ସ୍ଥାନରେ ପ୍ରବଳ ଭିଡ ଜମୁଥିବା ଦେଖାଯାଇଛି।ଏଥିସହ ବିବାହ ଆଦି ବିଭିନ୍ନ ଉତ୍ସବ ପାଳନ ବେଳେ ମା ଶ୍ୟାମଳାଇ ପୀଠ ପରିସରରେ ଶହ ଶହ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଜାତୀୟ ରାଜପଥ ୫୯ ନଂ ଶ୍ୟାମଳାଇ ଛକ ଦୀର୍ଘ ସମୟ ଧରି ଟ୍ରାଫିକ ଜାମ ରହୁଥିବା ଦେଖାଯାଇଛି।ସବୁଠାରୁ ଉଲ୍ଲେଖ ଯୋଗ୍ୟ ପ୍ରସଙ୍ଗ ହେଲା,ପ୍ରଶାସନର ଢିଲାପଣ ଯୋଗୁଁ ମନ୍ଦିର ସ୍ଥଳୀ,ବେଆଇନ କୋଚିଂ ସେଣ୍ଟର,ଫାଷ୍ଟଫୁଡ଼ ଦୋକାନ, ପନି ପରିବା ବଜାର, ଖୋଲା ଦେଶୀ ମଦ ଦୋକାନ ଆଦି ଜନଗହଳି ପୁର୍ଣ ସ୍ଥାନରେ କୋଭିଡ ନିୟମ ଖୋଲା ଖୋଲି ଉଲ୍ଲଙ୍ଘନ ନିତିଦିନିଆ କଥା ହୋଇଛି।କଟକଣା କୋହଳ ହେଲା ପରେ ଯାହାକିଛି ନିର୍ଦ୍ଦେଶ ଜାରୀ କରାଯାଇଛି ତାହାକୁ ସ୍ଥାନୀୟ ଅଞ୍ଚଳର ସିଂହ ଭାଗ ଲୋକ ପାଳନ କରୁ ନାହାନ୍ତି।ଏଣୁ ବେଳ ଥାଉ ଥାଉ ସ୍ଥାନୀୟ ପ୍ରଶାସନ ଓ ଜନ ସାଧାରଣ ସଜାଗ ନ ହେଲେ ଓଡ଼ିଶାରେ ଲକ ଡାଉନ ପରିସ୍ଥିତି ଏଡାଇ ହେବନି ବୋଲି ଡିଇଏମଟି ସି ବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି।


