ପୁଣ୍ୟପ୍ରଜ୍ଞା ଗୀତିମଞ୍ଚ ବର୍ଷା ବରଣ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶୁକ୍ରବାର ଏକ ବର୍ଷା ମୁଖର ସୁନ୍ଦର ସନ୍ଧ୍ୟାରେ ପ୍ରଜ୍ଞା ଏକାଡ଼େମିକ ଏବଂ ପୁଣ୍ୟ ଉତ୍କଳ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ପୁଣ୍ୟପ୍ରଜ୍ଞା ଗୀତିମଞ୍ଚ ଆୟୋଜିତ ‘ବର୍ଷା ବରଣ ଉତ୍ସବ’ ସ୍ଥାନୀୟ ଜୟଦେବ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ମନୋରଞ୍ଜନ ମହାପାତ୍ର ଓ ମହାସଚିବ ବୃନ୍ଦାବନ ଜେନାଙ୍କ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବରେ ଯୋଗ ଦେଇଥିଲେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ଭା.ପ୍ର.ସେ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଭା.ପ୍ର.ସେ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବୋଧ ଆଚାର୍ଯ୍ୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭା କାର୍ଯ୍ୟର ପ୍ରାରମ୍ଭରେ ଦିବଂଗତ ସୁନାମଧନ୍ୟ ବିଶିଷ୍ଟ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ସହିତ ସ୍ୱର୍ଗତ ନିର୍ମଳ ମିଶ୍ର ଗାଇଥିବା ଏବଂ ବୃନ୍ଦାବନ ଜେନାଙ୍କ ରଚିତ ‘ଅମର ପ୍ରେମର ଅମର ଗୀତ-ମାୟାବିନୀ ଏଇ ରାତି’ ଗୀତଟି କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ଗାନ କରିଥିଲେ ଏବଂ ନିଜାମଙ୍କ ରଚିତ ଏବଂ ଜେ. ଆଦେନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଲୋକପ୍ରିୟ ଗୀତ ‘ନିଦ ଭରା ରାତି’ ଗାନ କରିଥିଲେ ପ୍ରତିଭା ପ୍ରଧାନ । ଏହାପରେ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ ଅନୁଷ୍ଠାନର ସଭାପତି ମହାପାତ୍ର । ପରେ ବିଶିଷ୍ଟ ପ୍ରଶାସକ ତଥା ଅଭିନେତା ସନ୍ତୋଷ କୁମାର ମିଶ୍ରଙ୍କୁ ବିଶିଷ୍ଟ ନାଟ୍ୟକାର ସ୍ୱର୍ଗତ ରବୀନ୍ଦ୍ରନାଥ ଦାସ ସ୍ମାରକୀ ‘ନାଟ୍ୟଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ସମାଜସେବା କାର୍ଯ୍ୟ ପାଇଁ ଅନନ୍ୟା ଉପାସନା ଏବଂ ସଙ୍ଗୀତ ସାଧନାର ସ୍ୱୀକୃତି ସ୍ୱରୂପ ସୁବାସ ରାମଙ୍କୁ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଲେଖକ ତଥା କବି ସୁରେଶ ଚନ୍ଦ୍ର ବଳଙ୍କ ରଚିତ ଭକ୍ତଗୀତ ସଂକଳନ ‘ଶ୍ରୀକ୍ଷେତ୍ର’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସଙ୍ଗୀତର ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଗୁରୁ କେଶବ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶିତ ଏକ ବୃନ୍ଦଗାନରୁ ଯାହାକୁ ପରିବେଷଣ କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଛାତ୍ରଛାତ୍ରୀ, ସୁନିତା, ଅର୍ପିତା, କବିତା, ନୀଳିମା, ଲକ୍ଷ୍ମୀପ୍ରିୟା, ସ୍ମୃତିରେଖା ଓ ତାପସ । ତତ୍ସହିତ ଶୁଭଶ୍ରୀ ପାଣିଙ୍କ କଣ୍ଠରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ‘ରମଣୀ ରତନ ମେଘକୁ ଚାହିଁ’ ଏବଂ କବିସୂର୍ଯ୍ୟ ବଳଦେବ ରଥଙ୍କ ଚରିତ ‘ବାରିଜାକ୍ଷୀ ମନରୁ ମାନ ମାରିଦେବ’ ଗୀତଟି ପରିବେଶିତ ହୋଇଥିଲା । ପରେ ପରେ କବିବର ରାଧାନାଥ ରାୟଙ୍କ କୃତ ତୁଳସୀ ସ୍ତବକ ବର୍ଷା କାବ୍ୟର ‘ପ୍ରସବଣ ଶଇଳେ କଲେ ବସତି’ ଛାନ୍ଦଟି ଗାନ କରାଯାଇଥିଲା । ଛାନ୍ଦଟି ଗାନ କରିଥିଲେ ଅର୍ପିତା ଓ ସୁନିତା । ଗୁରୁ କେଶବ ଚନ୍ଦ୍ର ରାଉତ, ସୁବାସ ରାମ ଓ ମୁରଲୀଧର ପରିଡ଼ାଙ୍କ ସଙ୍ଗୀତ ପରିଚାଳନାରେ ପରିବେଷଣ ହୋଇଥିଲା ବରଷା ସଞ୍ଜର ଗୀତ । ଗୀତଗୁଡ଼ିକୁ ରଚନା କରିଥିଲେ ସର୍ବଶ୍ରୀ ବୃନ୍ଦାବନ ଜେନା, ମନୋରଞ୍ଜନ ମହାପାତ୍ର, ରଞ୍ଜନ ଦାସ, ହସଂନାଥ ମୁଦୁଲି ଓ ମୁରଲୀଧର ପରିଡ଼ା । ଗୀତ ଗୁଡ଼ିକୁ କଣ୍ଠଦାନ କରିଥିଲେ ସର୍ବଶ୍ରୀ କେଶବ ଚନ୍ଦ୍ର ରାଉତ, ସୁବାସ ରାମ, ମୁରଲୀଧର ପରିଡ଼ା, ପ୍ରତିଭା ପ୍ରଧାନ, ଛନ୍ଦା ମିଶ୍ର, ଲଳିତ କ୍ରୀଷ୍ଣା, ଭାଗ୍ୟଶ୍ରୀ ରାଉତ, ଶୁଭଶ୍ରୀ ପାଣି, ଆର୍ଯ୍ୟ ଆଚାର୍ଯ୍ୟ ଓ ସ୍ମରଣିକା ମିଶ୍ର । ଯନ୍ତ୍ର ସଙ୍ଗୀତରେ ସହାୟତା କରିଥିଲେ ସର୍ବଶ୍ରୀ କାଳନ୍ଦୀ ପରିଡ଼ା, ଜବାହାର ମିଶ୍ର, ଚିନ୍ତାମଣି, ରାଜୁ ଓ ସାଥୀମାନେ । ମଞ୍ଚ ପରିଚାଳନା କରିଥିଲେ ପ୍ରସନ୍ନ କୁମାର ଖୁଣ୍ଟିଆ ଓ ନିତ୍ୟାନନ୍ଦ ସାହୁ । ଓଡ଼ିଶା ସରକାରଙ୍କର ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ସହାୟତା କ୍ରମେ ପରିବେଶିତ ହୋଇଥିବା ଏହି କାର୍ଯ୍ୟକ୍ରମଟି ଅତ୍ୟନ୍ତ ଉପଭୋଗ୍ୟ ହୋଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ହଂସନାଥ ମୁଦୁଲି ।


