ପୁନଃ ନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକମାନଙ୍କ ଆତ୍ମାହୁତି ଉଦ୍ୟମ
ଭୁବନେଶ୍ୱର, (ୱାଇଏନ୍ଏସ୍): ପୁନଃ ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କମ୍ପ୍ୟୁଟର ଶିକ୍ଷକ । ସୋମବାର ଦିନ ଛଟେଇ କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଫିନାଇଲ ଓ କିରୋସିନ ପିଇ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ଓ ଆନ୍ଦୋନକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାବେଳେ ଉତେଜନା ଦେଖାଦେଇଥିଲା । ଶେଷରେ ଆନ୍ଦୋଳନରତ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ପୋଲିସ ଗିରଫ କରିଥିଲା । ପୋଲିସ ସହ ଧସ୍ତାଧସ୍ତି ବେଳେ କ୍ୟାପିଟାଲ ଥାନା ଅଧିକାରୀ ଆହତ ହୋଇଥିବା ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ଡିସିପି କହିଛନ୍ତି ଯେ କୋଭିଡ କଟକଣା ନିୟମ ଭାଙ୍ଗି ଏକାଠି ହୋଇଥିବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଗିରଫ କରାଯାଇଛି । ଏଥିନେଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅପରପକ୍ଷରେ ସେମାନଙ୍କୁ ଗିରଫ ବେଳେ ଶିକ୍ଷୟତ୍ରୀଙ୍କୁ ପୋଲିସ ଅଧିକାରୀ ଠେଲାପେଲା କରିଥିବା ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି । ଗତ ଦୁଇ ବର୍ଷ ହେବ ବିନା କାରଣରେ ସରକାର ଛଟେଇ କରାଯାଇଥିବାରୁ ପୁନଃ ନିଯୁକ୍ତି ଦାବି କରି ଧାରଣା ଦେଇଥିଲେ ଶିକ୍ଷକ ଶିକ୍ଷୟତ୍ରୀ ।


