ପୁରାତନ ଛାତ୍ରଙ୍କ ଉଦ୍ୟମରେ ବଦଳିଲା ହାଇସ୍କୁଲର ଘଡି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -୧୮୫୭ ମସିହାରେ ସ୍ଥାପିତ ପାରଳା ମହାରାଜା ହାଇସ୍କୁଲର ଘଡି ଦୀର୍ଘ ବର୍ଷ ଧରି ଅଚଳଥିଲା । ଜଣେ ପୂରାତନ ଛାତ୍ରଙ୍କ ଉଦ୍ୟମରେ ଗତ କାଲି ଏହି ଘଡି ବଦଳିଛି । ଏଠାରେ ଏକ ନୂତନ ଘଡିକୁ ଲଗାଯାଇଛି । ଘଟଣାରୁ ପ୍ରକାଶ ଯେ,ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟରେ ଲାଗିଥିବା ବହୁ ପୁରାତନ ତଥା ଐତିହ୍ୟ ବହନ କରୁଥିବା ପୁରୁଣା ଘଡି ବଦଳାଇ ନୂତନ ଘଡି ଲଗାଯାଇଛି । ପ୍ରକାଶ ଯୋଗ୍ୟ ଯେ ମହାରାଜାଙ୍କ ଅମଳରେ ୧୮୫୭ ମସିହାରେ ଯେତେବେଳେ ଏହି ବିଦ୍ୟାଳୟ ପ୍ରଥମେ କଲେଜ ଭାବେ ଖୋଲିଥିଲା ସେତେବେଳେ ଘଡିଟିକୁ ଏଠାରେ ସ୍ଥାପନ କରାଯାଇଥିଲା । ମହାରାଜା ଘଡିଟିକୁ ବାହାର ଦେଶରୁ ମଗାଇ ଲଗାଇଥିଲେ ବୋଲି ଶୁଣିବାକୁ ମିଳେ । ତେବେ ୧୯୮୪ ମସିହାରେ ହଠାତ ବନ୍ଦ ହୋଇ ଯାଇଥିଲା । ଯାହାର ମରାମତି ପାଇଁ ସେହି ବିଦ୍ୟାଳୟର ବହୁ ପୂରାତନ ଛାତ୍ର ବଡ ବଡ ସହରକୁ ଯାଇ ବିଭିନ୍ନ ମରାମତି ସାମଗ୍ରୀ ଆଣିଥିଲେ ମଧ୍ୟ ଘଡିଟିକୁ କେହି ମରାମତି କରିପାରୁ ନଥିଲେ । ହେଲେ କିଛି ଦିନ ତଳେ ବିଦ୍ୟାଳୟର ୧୯୭୮ ବ୍ୟାଚର କେତେକ ମ୍ୟାଟ୍ରିକ ଛାତ୍ର ମିଲିତ ଭାବେ ନିଜସ୍ୱ ଉଦ୍ୟମରେ ଦିଲ୍ଲିରୁ ଏକ ନୂତନ ଘଡି ଆଣି ଗୁରୁବାର ଗୁରୁଦିବସ ଅବସରରେ ବିଦ୍ୟାଳୟରେ ସ୍ଥାପନ କରିଛନ୍ତି । ତାହା ଠିକ୍ ଭାବେ ଚାଲୁଛି କି ନାହିଁ ଯାଞ୍ଚ କରାଯାଇଥିବା ବେଳେ ଆଗାମି ଦିନରେ ବହୁ ଆଡମ୍ବରରେ ଏହାର ସୁଭାରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ପୂରାତନ ଘଡିଟିକୁ ମହାରାଜାଙ୍କ ସ୍ମୃତି ଉଦ୍ଦେଶ୍ୟରେ କୌଣସି ମ୍ୟୁଜିୟମରେ ରଖାଯିବ ବୋଲି ଜଣାପଡିଛି ।


