ପୁସିଂ କାର୍ଡ ଜରିଆରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ୨୩ଗୋଟି ପଂଚାୟତ ଅଂଚଳରେ ଏବେ ପ୍ରଚାର ଦିନକୁ ଦିନ ସରଗରମ ହେବାରେ ଲାଗିଛି। ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ପଂଚାୟତର ସାହିକୁ ସାହି ବୁଲି ପୁସିଂ କାର୍ଡ ଜରିଆରେ ପ୍ରଚାର କରୁଥିବା ଦେଖାଯାଇଛି। ବ୍ଲକ ଅଧିନ ନେରଡ଼ା ପଂଚାୟତ ଠାରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଦେବଦାସୀ ଜେନା ସାହିକୁ ସାହି ବୁଲି ପ୍ରଚାରକୁ ଜୋରଦାର କରିଥିବା ବେଳେ ବୟସ୍କ ଲୋକମାନଙ୍କୁ ନିଜ ଭୋଟ ଚିହ୍ନ ସମ୍ପର୍କିତ ପୁସିଂ କାର୍ଡ ଦେଇ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ପଂଚାୟତ ଅଧିନ ୧୪ଗୋଟି ୱାର୍ଡରେ ଶ୍ରୀମତୀ ଜେନା ପହଂଚି ଲୋକମାନଙ୍କ ସହିତ ଭାବ ବିନିମୟ କରିବା ସହ ନିଜ ସପକ୍ଷରେ ଅଧିକରୁ ଅଧିକ ଜନମତ ସୃଷ୍ଟି କରୁଥିବା ଦେଖାଯାଇଛି। ସେ ୨୦୧୨ମସିହାରେ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ବେଳେ ଏଥର ବିଜୟ ଲାଭ କରିବେ ବୋଲି ଆଶା ପ୍ରକଟ କରିଛନ୍ତି । ବିଭିନ୍ନ ୱାର୍ଡ ସଭ୍ୟ ସଭ୍ୟା ପ୍ରାର୍ଥୀଙ୍କ ସହିତ ସମିତିସଭ୍ୟ ରାଜେଶ କୁମାର ଜେନାଙ୍କୁ ଧରି ପ୍ରଚାରକୁ ଦେବଦାସୀ ଆଗେଇ ନେଇଛନ୍ତି । ସେହିଭଳି ଦକ୍ଷିଣବାଡ଼ ପଂଚାୟତ ଠାରେ ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀନୀ କଳ୍ପନା ଜେନା ନିଜ ସମର୍ଥକଙ୍କୁ ଧରି ଭୋଟ ପାଇଁ ପ୍ରଚାର କରୁଥିବା ବେଳେ ନିଜ ସପକ୍ଷରେ ଜନମତ ସୃଷ୍ଟି କରୁଛନ୍ତି । ଷୋଳମପୁର ପଂଚାୟତ ଠାରେ ସ୍ୱାଧୀନ ପ୍ରାର୍ଥୀ ସୁରଥ ଦାସ ନିର୍ବାଚନ ପ୍ରଚାରକୁ ଜୋରଦାର କରିଥିବା ବେଳେ ଜନମତ ଅନୁଯାୟୀ ସେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ଚର୍ଚ୍ଚା ଜୋର ଧରିଛି । ନଗୁଆଁ ପଂଚାୟତ ବାହାଦଲପୁର ଠାରେ ଆଜି କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ସ୍ୱୟଂ ସରିତା ବେହେରା ଓ ସମିତିସଭ୍ୟ ପ୍ରାର୍ଥୀ ସୁବାସ ଗୋଛାୟତ ନିଜ ସମର୍ଥକଙ୍କୁ ଧରି ମା ଚେକା ସାନ୍ତାଣୀ ପୀଠରୁ ପ୍ରଚାର କରିଛନ୍ତି । ଗ୍ରାମର ଦୁଇଗୋଟି ୱାର୍ଡକୁ ଯାଇ ସମସ୍ତ ଭୋଟର ମାନଙ୍କ ସହିତ ଭାବ ବିନିମୟ କରିବା ସହ ଚିହ୍ନ ସମ୍ପର୍କିତ ପୁସିଂ କାର୍ଡ ପ୍ରଦାନ କରି ଭୋଟ ପାଇଁ ନିବେଦନ କରିଛନ୍ତି । ପ୍ରଚାରରେ ପଂଚାୟତ ସଭାପତି ସୁଧାକର ମହାପାତ୍ର, ଯୁବ ସଭାପତି ମାଧବ ଚନ୍ଦ୍ର ପାଲ, କଂଗ୍ରେସ ନେତା ସନ୍ତୋଷ ମହାନ୍ତି, ସଞ୍ଜୟ ଜେନା, ଶରତ ସାହୁ, ବୁଲୁ ଜେନା, ଶଙ୍କରା ଜେନା ପ୍ରମୁଖ ସାମିଲ ହୋଇଛନ୍ତି ।


