ଦାଉ ସାଧିଲା ଅଦିନିଆ ବର୍ଷା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଚଳିତବର୍ଷ ଖରିଫ ଧାନ ଚାଷକୁ ଅଦିନିଆ ବର୍ଷା ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ଗତ ଅକ୍ଟୋବର ନଭେମ୍ବର ମାସ ଠାରୁ ଲଘୁଚାପ ସହିତ ସାଧାରଣ ବର୍ଷା ଏଭଳି ହେଉଛି ଯେ ବିଲରୁ ଏଯାଏଁ ପାଣି ଶୁଖୁ ନାହିଁ । ଫଳରେ ବିଭିନ୍ନ ସ୍ଥାନରୁ ଋଣଆଣି ଚାଷ କରିଥିବା ଚାଷୀ ଭାଇ ଏବେ ମୁଣ୍ଡରେ ହାତ ଦେଇଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଂଚଳରେ ପ୍ରାୟ ୧୬ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ଚାଷ ହୋଇଥିବା ଖରିଫ ଧାନ ଅଦିନିଆ ବର୍ଷା ଯୋଗୁଁ ପ୍ରାୟତଃ ନଷ୍ଟ ହୋଇଯାଇଛି । ଧାନ କ୍ଷେତରେ ପାଚିବା ପ୍ରଥମାଷ୍ଟମୀ ପର ଠାରୁ ଆଠ ପନ୍ଦର ଦିନ ଅନ୍ତରରେ ବର୍ଷା ହେଉଥିବାରୁ ଶସ୍ୟ ଅମଳ କରିବା ଚାଷୀ ପାଇଁ କଷ୍ଟସାଧ୍ୟ ହୋଇଯାଇଛି । ମେସିନ ସାହାଯ୍ୟରେ ଅଳ୍ପକିଛି ଅମଳ ହୋଇଥିଲେ ସୁଦ୍ଧା ଗତ ପନ୍ଦର ଦିନ ପୂର୍ବର ବର୍ଷା ବିଲରେ ପାଣି ଠିଆ କରିଦେଇଥିଲା । ଯେଉଁଥି ପାଇଁ ଧାନ କଳେଇ ବୁଡି ଯାଇଥିବା ବେଳେ କେତେକ ସ୍ଥାନରେ ଧାନ ମଧ୍ୟ ଗଜା ହୋଇଯାଇଥିଲା । ଏଭଳି ଅବସ୍ଥା ବ୍ଲକର ମଞ୍ଜୁରୀରୋଡ଼ ଠାରୁ ଆରମ୍ଭ କରି ମଣିନାଥପୁର ଓ ବିଷ୍ଣୁପୁର ଯାଏଁ ଦେଖିବାକୁ ମିଳିଥିଲା । କିଛି ଦିନ ଟିକେ ବର୍ଷା ଛାଡିବାରୁ ଗଜା ଧାନକୁ କ୍ଷେତରୁ ଆଣି ଚାଷୀ କଂକ୍ରିଟ ନିର୍ମିତ ବିଭିନ୍ନ ଗ୍ରାମ୍ୟ ରାସ୍ତାରେ ଶୁଖାଇ ଅମଳ କରୁଥିବା ବେଳେ ପୁଣି ବଡ ଧରଣର ଅଦିନିଆ ବର୍ଷା ଏହା ଉପରେ ଦାଉ ସାଧିଛି । ଗତକାଲି ଠାରୁ ଆଜିଯାଏଁ ବ୍ଲକର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଥିବାରୁ ରାସ୍ତାରେ ଶୁଖୁଥିବା ଅମଳ ଉପଯୋଗୀ ଧାନ ଓ ବିଲରେ ଥିବା ପାଚିଲା କ୍ଷେତ ସମ୍ପୂର୍ଣ୍ଣ ନଷ୍ଟ ହେବ ବୋଲି ଜଣାପଡିଛି। ଏଭଳି ଅଦିନିଆ ବର୍ଷା ଦୁର୍ବିପାକ ଯୋଗୁ ମଧ୍ୟମ, ନାମମାତ୍ର ଓ ଭାଗଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଥିବା ବେଳେ ଋଣ ଭାରରେ ସେମାନେ ବୁଡିଯିବେ ଏଥିରେ ସନ୍ଦେହ ନାହିଁ। ତଥାପି ଶେଷ ଆଶା ଟିକକ ପାଇଁ ବର୍ଷାରେ ଭିଜି କେତେକ ଜାଗାରେ ଚାଷୀ ଭାଇ ଓଦା ଧାନକୁ ମଧ୍ୟ ହିଡ ଉପରକୁ ଟେକୁଥିବା ଦେଖାଯାଉଛି । ଏହା ଉପରେ ସରକାର ଦୃଷ୍ଟିଦେଇ କ୍ଷୟକ୍ଷତି ଯୋଗାଇଲେ । ଚାଷୀ ମାନେ ନିଶ୍ଚିତ ଋଣଭାରରୁ ମୁକ୍ତି ପାଇବେ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି ।


