ପେଟ୍ରୋଲ ଏବଂ ଡିଜେଲ ଉପରେ ମାତ୍ରାଧିକ ଶୁଳ୍କ ବୃଦ୍ଧି

ନୂଆଦିଲ୍ଲୀ/ ଭୁବନେଶ୍ୱର: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ମାତ୍ରାଧିକ ଶୁଳ୍କ ବୃଦ୍ଧି କରିଛନ୍ତି । ମୌଳିକ ଉତ୍ପାଦ ଶୁଳ୍କ, ଅତିରିକ୍ତ ଉତ୍ପାଦ ଶୁଳ୍କ ଓ ରୋଡ ସେସ କେନ୍ଦ୍ର ସରକାର ବଢ଼ାଇଛନ୍ତି । ସରକାର ଏସବୁ ଟିକସ ବାବଦରେ ପୂର୍ବରୁ ପେଟ୍ରୋଲରେ ୨୨ ଟଙ୍କା ୯୮ ପଇସା ଲିଟର ପିଛା ନେଉଥିଲେ । ଏବେ ଏଥିରେ ୧୦ ଟଙ୍କା ବୃଦ୍ଧି ପାଇଛି । ଅର୍ଥାତ ପେଟ୍ରୋଲ ଉପରେ ଏହି ସବୁ ଶୁଳ୍କ ମିଶି ଲିଟର ପିଛା ୩୨ ଟଙ୍କା ୯୮ ପଇସା ହୋଇଛି । ସେହିଭଳି ଡିଜେଲ କ୍ଷେତ୍ରରେ ଏହାର ପରିମାଣ ଥିଲା ୧୮ ଟଙ୍କା ୮୩ ପଇସା । ଡିଜେଲ ଉପରେ ଏହି ଟିକସ ଏବେ ଲିଟର ପିଛା ୧୩ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ଡିଜେଲ ଉପରେ ଏସବୁ ଶୁଳ୍କ ବୃଦ୍ଧି ପାଇ ୩୧ ଟଙ୍କା ୮୩ ପଇସାରେ ପହଞ୍ଚିଛି ।
ତେଲ କମ୍ପାନୀ ଗୁଡ଼ିକ ଗ୍ରାହକଙ୍କ ଉପରେ ଏହି ଅତିରିକ୍ତ ଶୁଳ୍କ ବୃଦ୍ଧିକୁ ନ ଲଦି ନିଜେ ବହନ କରିନେଇଛନ୍ତି । ତେଣୁ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ । ଗତ ବଜେଟରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଶୁଳ୍କର ସର୍ବୋଚ୍ଚ ସୀମାକୁ ବୃଦ୍ଧି କରିଥିଲେ । ତାହାକୁ ଏବେ କାର୍ଯ୍ୟକାରୀ କରିଛନ୍ତି ।
ସମ୍ପ୍ରତି ଅର୍ଥନୀତି ଗୁରୁତର ସ୍ଥିତିରେ ପହଞ୍ଚିଛି । କେନ୍ଦ୍ର ସରକାର ଗମ୍ଭୀର ଆର୍ଥିକ ଚାପରେ ଅଛନ୍ତି । ଗାଡ଼ି ଚଳାଚଳ ସୀମିତ ରହିଛି । ତେଣୁ ପେଟ୍ରୋଲ ଏବଂ ଡିଜେଲକୁ ଏକମାତ୍ର ଭରସା କରି ଏହା ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି । ପୂର୍ବରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇଥିବାରୁ ଏହାର ଯେଉଁ ଲାଭ ଗ୍ରାହକଙ୍କୁ ମିଳିବା କଥା ତାହା ଆଉ ମିଳିବ ନାହିଁ । ଅନ୍ୟ ପକ୍ଷରେ ଅଶୋଧିତ ତେଲ ଦର ହ୍ରାସର ସମ୍ପୂର୍ଣ୍ଣ ଫାଇଦା କେନ୍ଦ୍ର ସରକାର ନେଇ ଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ