ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଏ. ଆଇ.ଏସ.ଏଫ ର ବିକ୍ଷୋଭ
ଯୋଡ଼ା (ଯୁଗାବ୍ଦ ନ୍ୟୁଜ)) : ବଡବିଲଠାରେ ବୁଧବାର ଅଖିଳ ଭାରତୀୟ ଛାତ୍ର ସଂଘ ଏଆଇଏସଏଫ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ବୃଦ୍ଧି ନେଇ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗତ ଦଶ ଦିନ ଭିତରେ ଲଗାତାର ଭାବରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟି ଚାଲିଛି । ଏହାଦ୍ୱାରା ଦେଶର ସର୍ବସାଧାରଣ ବିଶେଷ କରି ଗରିବ ଓ ମଧ୍ୟବିତ୍ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ଏବଂ ଇତିହାସରେ ପ୍ରଥମଥର ପାଇଁ ପେଟ୍ରୋଲ ଠାରୁ ଡିଜେଲ ଦର ଅଧିକ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଶାଗମାଛ ଦରରେ ମିଳୁଥିବା ବେଳେ ଭାରତ ସରକାର ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି କରିଚାଲିଛନ୍ତି । ଏହା ଦିନଦ୍ୱିପ୍ରହରରେ ସାଧାରଣ ଲୋକଙ୍କୁ ଲୁଟ୍ ବୋଲି ବୁଧବାର ବଡବିଲଠାରେ ବିକ୍ଷୋଭ କରି ଏଆଇଏସଏଫର ସଦସ୍ୟମାନେ କହିଛନ୍ତି । ସେହିପରି ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗୁ ନକରି ସରକାର କମ୍ପାନୀ ମାନଙ୍କୁ ଲାଭ ଦେଇଥିବା ବେଳେ ସାଧାରଣ ଲୋକଙ୍କୁ ଲୁଟ୍ କରୁଛନ୍ତି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି । ଡିଜେଲ ଦର ବୃଦ୍ଧି ଘଟିଲେ ପରିବହନ ଖର୍ଚ୍ଚରେ ବୃଦ୍ଧି ଘଟିବ ଓ ଏହାଦ୍ୱାରା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି ପାଇବା ଆଦି ନେଇ ସେମାନେ ବିରୋଧ କରିଥିଲେ । ଏହି ବିକ୍ଷୋଭରେ ଛାତ୍ରସଂଘର ଜିଲା ସଭାନେତ୍ରୀ ରିତୁ ପ୍ରସାଦ, ବଡବିଲ ଶାଖା ସଂପାଦକ ସୌରଭ ଜୟସ୍ୱାଲ, ଛାତ୍ରନେତା ଆର୍ଯ୍ୟାନ ଜୟସ୍ୱାଲ, ବିକାଶ ତିର୍କୀ, ଶ୍ରୀୟା କୁମାରୀ, ପ୍ରତିମା ମହାକୁଡ, ଦୀପା ଦାସ ଆଦି ଉପସ୍ଥିତ ଥିଲେ ।


