ପ୍ରତିଶୋଧ ପାଇଁ ୧୫୯ ସାଇକେଲ ସିଟ୍ ଚୋରି
ଜାପାନ: ୧୫୯ ସାଇକେଲର ସିଟ୍ ଚୋରି କରିବା ଅଭିଯୋଗରେ ଜାପାନ ଟୋକିଓ ସହରର ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନାମ ଆକିୟୋ ହାତୋଡ଼ି । ତେବେ କେବଳ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସେ ୧୫୯ଟି ସାଇକେଲର ସିଟ୍ ଚୋରି କରିଥିବା ଜଣାପଡ଼ିଛି । ସହରରେ ସାଇକେଲ ସିଟ୍ ଚୋରି ହେବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପୋଲିସ ଚୋରକୁ ଧରିବା ପାଇଁ ତଦନ୍ତ ଚଳାଇଥିଲା । ଗତ ଅଗଷ୍ଟ ମାସରେ ଆକିୟୋ ଏକ ସାଇକେଲରୁ ସିଟ୍ ଚୋରି କରିଥିଲେ । ସେହି ସାଇକେଲର ମାଲିକ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଯାଞ୍ଚ କରିଥିଲା, ଯେଉଁଥିରେ ଆକିୟୋ ସିଟ୍ ଚୋରି କରିଥିବା ସ୍ପଷ୍ଟ ଜଣାପଡୁଥିଲା । ଏହାପରଠୁ ପୋଲିସ ଆକିୟୋଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲାୟ ଚଢ଼ାଉ ବେଳେ ପୋଲିସ ତାଙ୍କ ଘରୁ ୧୫୯ଟି ସାଇକେଲ ସିଟ୍ ଜବତ କରିଛି । କିନ୍ତୁ ସାଇକେଲ ସିଟ୍ ଚୋରି କରିବା ନେଇ ଆକିୟୋ ପୋଲିସକୁ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି, ୨୦୧୮ରେ ତାଙ୍କ ସାଇକେଲର ସିଟ୍ ଚୋରି ହୋଇଯାଇଥିଲା, ଯେଉଁଥିପାଇଁ ତାଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିଥିଲା । ତାଙ୍କୁ ଯେଉଁ କଷ୍ଟ ହୋଇଛି, ଅନ୍ୟମାନଙ୍କୁ ସେହି କଷ୍ଟ ଦେବା ଉଦ୍ଦେଶ୍ୟରେ ସେ ଏତେଗୁଡ଼େ ସାଇକେଲ ସିଟ୍ ଚୋରି କରିଥିଲେ ବୋଲି ଆକିୟୋ କହିଛନ୍ତି ।


