ପ୍ରତି ବ୍ଳକରେ ଆୟୋଜିତ ହେବ ସ୍ୱାସ୍ଥ୍ୟମେଳା

ବାଲେଶ୍ୱର, (ସରୋଜ ପଣ୍ଡା) :ଆସନ୍ତା ୧୭ ତାରିଖରୁ ମେ ମାସ ୩ ତାରିଖ ମଧ୍ୟରେ ଜିଲାର ପ୍ରତି ବ୍ଲକରେ ସ୍ୱାସ୍ଥ୍ୟ ମେଳା ଆୟୋଜନ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସ୍ୱାସ୍ଥ୍ୟ ମେଳା ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ, ବିଶେଷଜ୍ଞ ଡାକ୍ତର ଓ ନିଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ସ୍ୱାସ୍ଥ୍ୟ ମେଳା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର-ପ୍ରସାର ସହ ଗୁରୁତର ରୋଗୀଙ୍କ ପାଇଁ ବିଶେଷ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ବାଲେଶ୍ୱର ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳସେନ ଜଗଦ୍ଦେବ, ଆଇଏଏସ୍ ପ୍ରୋବେସନର କୁନାଲ ଚୌହାନ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ମେଳା ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ଷ୍ଟଲ୍ ସ୍ଥାପନ ସହ ରୋଗୀଙ୍କର ପଞ୍ଜୀକରଣ ଓ ସେମାନଙ୍କ ଡିଜିଟାଲ ହେଲଥ ଆଇଡି ପ୍ରସ୍ତୁତ କରାଯିବ । ଡାକ୍ତରଙ୍କ ପରାମର୍ଶ କ୍ରମେ ଆବଶ୍ୟକତା ଅନୁଯାୟୀ ସେମାନଙ୍କ ପରୀକ୍ଷାନିରୀକ୍ଷା କରାଯିବା ପରେ ସେମାନଙ୍କୁ ଔଷଧ ବଣ୍ଟନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ସମ୍ପର୍କିତ ପରାମର୍ଶ ପ୍ରଦାନ କରାଯିବ । ବିଶେଷଜ୍ଞ ଡାକ୍ତରମାନଙ୍କ ସମେତ ମେଡିକାଲ ଅଫିସର, ଆୟୁଷ୍ ଡାକ୍ତର, ଷ୍ଟାଫ୍‌୍ ନର୍ସ, ଯୋଗ ପରାମର୍ଶଦାତା, ସ୍ୱାସ୍ଥ୍ୟକର୍ମୀଙ୍କର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଗଣମାଧ୍ୟମ ଓ ସରକାରୀ ଅଧିକାରୀଙ୍କ ସହଯୋଗରେ ସ୍ୱାସ୍ଥ୍ୟ ମେଳାର ପ୍ରଚାର ପ୍ରସାରକୁ ବ୍ୟାପକ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଡିପିଏମ୍ ଅନୀଲ କୁମାର ମହାନ୍ତି ମେଳା ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ