ପ୍ରଦୂଷଣ ଯୋଗୁଁ ବଂଚିବାର ବୟସ ୯ ବର୍ଷ କମିଯାଉଛି

ନୂଆଦିଲ୍ଲୀ, ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁ ଭାରତର ପ୍ରାୟ ୪୮ କୋଟି ବା ୪୦% ଲୋକଙ୍କ ଆୟୁଷ ୯ ବର୍ଷରୁ ଅଧିକ ହ୍ରାସ ପାଇବ । ଆମେରିକାଭିତ୍ତିକ ଗବେଷଣା ସଂସ୍ଥା ‘ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସିକାଗୋ ୟୁନିଭର୍ସିଟି (ଇପିଆଇସି)’ ପକ୍ଷରୁ ଏକ ରିପୋର୍ଟରେ ଏଭଳି ଆଶଙ୍କା କରାଯାଇଛି ।
ରିପୋର୍ଟ ଦର୍ଶାଇଛି କେନ୍ଦ୍ରୀୟ, ପୂର୍ବ ଓ ଉତ୍ତର ଭାରତ ସମେତ ରାଜଧାନୀ ନୂଆଦିଲ୍ଲୀରେ ମୋଟ ୪୮ କୋଟିରୁ ଅଧିକ ଲୋକ ପ୍ରଦୂଷଣ ମଧ୍ୟରେ ବଞ୍ଚୁଛନ୍ତି । ଏହି ପ୍ରଦୂଷଣ ମାତ୍ରା କ୍ରମେ ବୃଦ୍ଧି ପାଉଥିବାରୁ ସେମାନଙ୍କ ପ୍ରତି ବିପଦ ବଢ଼ିବାରେ ଲାଗିଛି । ଭୌଗୋଳିକ ଦୃଷ୍ଟିକୋଣରୁ ପ୍ରଦୂଷଣ ସ୍ତର ଅନ୍ୟ ଅଞ୍ଚଳକୁ ମଧ୍ୟ ମାଡ଼ୁଛି ।ଭାରତ ରାଜ୍ୟ ମଧ୍ୟପ୍ରଦେଶରେ ବାୟୁ ପ୍ରଦୂଷଣ ବଢ଼ିବାକୁ ଲାଗିଛି । ୨୦୨୦ରେ ଲଗାତର ତୃତୀୟ ବର୍ଷ ପାଇଁ ନୂଆଦିଲ୍ଲୀ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଦୂଷିତ ରାଜଧାନୀ ଥିଲା ବୋଲି ସ୍ୱିସ ଗ୍ରୁପ୍‌ ‘ଏକ୍ୟୁଏୟାର’ ଏହାର ଅଧ୍ୟୟନ ରିପୋର୍ଟରେ ଦର୍ଶାଇଥିଲା । କିନ୍ତୁ ଗତବର୍ଷ କୋଭିଡ ଲକ୍‌ଡାଉନ୍‌ ଯୋଗୁ ଦିଲ୍ଲୀର ୨ କୋଟି ଲୋକ ସ୍ୱଚ୍ଛ ବାୟୁ ପାଇ ଶାନ୍ତିରେ ନିଃଶ୍ୱାସ ମାରିଥିଲେ ।୨୦୧୯ରେ ଆରମ୍ଭ ହୋଇଥିବା ଭାରତର ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନ୍‌ସିଏପି)କୁ ପ୍ରଶଂସା କରି ଇପିଆଇସି ଏହାର ରିପୋର୍ଟରେ କହିଛି ଯେ ଦେଶ ଯଦି ଏନ୍‌ସିଏପି ଲକ୍ଷ୍ୟ ଧାର୍ଯ୍ୟ ସମୟରେ ପୂରଣ କରେ, ତେବେ ଦେଶବାସୀଙ୍କ ହାରାହାରି ଆୟୁଷ ୧.୭ ବର୍ଷ ଓ ଦିଲ୍ଲୀବାସୀଙ୍କ ବୟସ ୩.୧ ବର୍ଷ ବଢ଼ିପାରନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ