ପ୍ରାକ୍ତନ ବ୍ଲକ ବିଜେଡି ସଭାପତିଙ୍କ ପରଲୋକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ପ୍ରାକ୍ତନ ବିଜେଡି ସଭାପତି ତଥା ଜଗନ୍ନାଥପ୍ରସାଦ ଗ୍ରାମ ନିବାସୀ ମଧୁସୂଦନ ଦାସ(୬୫)ଙ୍କର ଆଜି କଟକ ବଡମେଡିକାଲ ଠାରେ ପରଲୋକ ଘଟିଛି। ସ୍ବର୍ଗତ ଦାସ ଏକାଧାରରେ କବି, ସାହିତ୍ୟିକ ଓ ସୁଲେଖକ ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ଦୀର୍ଘ ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ଥିବା ବେଳେ ଗତ୧୫ଦିନ ହେବ ଅବସ୍ଥା ଗୁରୁତର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ଗମନ କରିଥିବା ସୂଚନା ଦିଆଯାଇଛି। ଗ୍ରାମରେ ପାର୍ଥିବ ଶରୀର ପହଂଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାଛଡା ବିଧାୟକ ପ୍ରଫୁଲ ସାମଲ, ସାଂସଦ ମଞ୍ଜୁଲତା ମଣ୍ଡଳ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସ୍ଥାନୀୟ ବୈତରଣୀ ତଟରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ଦେବୀପ୍ରସାଦ ଦାସ ମୁଖାଗ୍ନି ଦେଇଥିଲେ।


