ପ୍ରେମରେ ପଡ଼ିଲେ ବଢ଼େ ଶରୀରର ଓଜନ
ଅଷ୍ଟ୍ରେଲିଆର ସେଣ୍ଟ୍ରାଲ୍ କୁଇନ୍ସ ଲ୍ୟାଣ୍ଡ ୟୁନିଭର୍ସିଟିରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ପ୍ରେମରେ ପଡ଼ିବା ପରେ ଉଭୟେ ଝିଅ ଓ ପୁଅଙ୍କ ଶରୀରର ଓଜନ ବୃଦ୍ଧି ପାଇଥାଏ । ଏଥିପାଇଁ ପ୍ରାୟ ୧୫ ହଜାର ଯୋଡିଙ୍କୁ ନେଇ ଗବେଷଣା କରାଯାଇଥିଲା । ଗବେଷକଙ୍କ ମତରେ ଓଜନ ବୃଦ୍ଧି ହେବାର ଅନେକ ଗୁଡିଏ କାରଣ ରହିଛି । ପ୍ରେମରେ ପଡିବା ପରେ ଝିଅ ପୁଅ ନିଜ ଖାଦ୍ୟ ପାନୀୟ ଓ ଚେହେରା ଉପରେ ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ । ଫଳରେ ଅସମୟରେ ପୁଣି କେବେ କେବେ ଅଧିକ ଖାଇଦେଲେ ଶରୀରର ଓଜନ ବଢ଼ିଯାଇଥାଏ । ପ୍ରେମ ହେବା ପରେ ଉଭୟେ ପରସ୍ପର ସହ ଅଧିକ ସମୟ ବିତାଇବାକୁ ଚାହାଁନ୍ତି । ଯେଉଁମାନେ ଏକ୍ସରସାଇଜ୍ ବା ୱାର୍କଆଉଟ୍ କରୁଥିବେ ଏ ସମୟରେ ସେସବୁ ପ୍ରତି ମଧ୍ୟ ସେମାନଙ୍କର ନଜର ହଟିଯାଇଥାଏ । ଫଳରେ ଶରୀରର ଓଜନ ବଢ଼ିଥାଏ । ପ୍ରେମିକା ପ୍ରେମିକ ଅଧିକାଂଶ ସମୟରେ ଷ୍ଟ୍ରିଟ୍ ଫୁଡ୍ ବା ରେଷ୍ଟୁରାଣ୍ଟ ଫୁଡ୍ର ମଜା ନେବାକୁ ଚାହାଁନ୍ତି, ଯାହା ଶରୀରର ଓଜନ ବଢ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି ସମୟରେ ଉଭୟେ ବିଳମ୍ବିତ ରାତି ପର୍ଯ୍ୟନ୍ତ କଥା ହୋଇଥାଆନ୍ତି । ଏପଟେ ଦିନବେଳା ମଧ୍ୟ ଶୋଇବାକୁ ସମୟ ହୋଇ ନ ଥାଏ । ତେବେ ନିଦ କମ୍ ହେବା ମୋଟା ହେବାର ଅନ୍ୟତମ କାରଣ । ଭଲ ଜୀବନସାଥୀ ମିଳିଗଲେ ଶରୀରରେ ହାପି ହରମୋନ୍ କ୍ଷରଣ ହୋଇଥାଏ । ଏହି ସମୟରେ ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାକୁ ଆଗ୍ରହ ପ୍ରକାଶ ପାଇଥାଏ । ଏହା ମଧ୍ୟ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।


