ଜୋର ଧରିଲା ମାଟୋଆ ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ୫ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ(ମାଟୋଆ) ର ଆଗାମୀ ନିର୍ବାଚନ ନିମନ୍ତେ ବୁଧବାର ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ଏଥିରେ ୫ ଜଣ ପ୍ରାର୍ଥୀ ବିଭିନ୍ନ ଆସନ ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏଥିରେ ସଭାପତି ଆସନ ପାଇଁ ଭରତ ଚନ୍ଦ୍ର ବାରିକ , ଉପସଭାପତି ପାଇଁ ସମୀର ଖାନ୍‌, ସଂପାଦକ ଆସନ ପାଇଁ ଭୀମସେନ୍ ବାରିକ , ଯୁଗ୍ମ ସଂପାଦକ ପାଇଁ ଅଶୋକ କୁମାର ମଣ୍ଡଳ , କୋଷାଧ୍ୟକ୍ଷ ଆସନ ପାଇଁ ଇନ୍ଦରଜିତ୍ ଗୁପ୍ତା ପ୍ରମୁଖ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ଉକ୍ତ ପ୍ରାର୍ଥୀମାନେ କଳାପାହାଡ ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ନିଜ ନିଜର ସମର୍ଥକଙ୍କୁ ନେଇ ଏକ ବିଶାଳ ବାଇକ ରାଲି ରେ ବାହାରି ସହର ପରିକ୍ରମା କରିଥିଲେ । ପରେ ବାଂଶପାଣିଠାରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ(ମାଟୋଆ) କାର୍ଯ୍ୟାଳୟଠାରେ ପହନଚି ନିଜନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଆସନ୍ତା ନଭେମ୍ବର ୧ ତାରିଖ ହୋଇଥିବାରୁ ବହୁ ପ୍ରାର୍ଥୀ ଏହି ଆସନଗୁଡିକ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ଖଣି ଅଂଚଳରେ ମାଟୋଆ ନିର୍ବାଚନ ପରିବହନ ବ୍ୟବସାୟର ଏକ ପ୍ରମୁଖ ସଂଘ ନିର୍ବାଚନ ହୋଇଥିବାରୁ ଏହି ଆସନଗୁଡିକୁ ହାତେଇବା ପାଇଁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଉଦ୍ୟମ କରାଯାଉଛି । ଚଳିତ ନିର୍ବାଚନରେ ଯୁବ ସଂଗଠକ ସଂଜୟ ବାରିକଙ୍କ ସମର୍ଥିତ ପ୍ରାର୍ଥୀମାନଙ୍କ ସହ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କର ସମର୍ଥିତ ପ୍ରାର୍ଥୀମାନଙ୍କ ସହ କଡା ପ୍ରତିଦ୍ୱନ୍ଦିତା ହେବ ବୋଲି କୁହାଯାଉଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଏହି ସଂଘର ସମସ୍ତ ଆସନକୁ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ସମର୍ଥକମାନଙ୍କର କବଜାରେ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ