ପ୍ରେମିକାକୁ ମନେପକାଇଲେ ଜ୍ୟାକି
ମୁମ୍ବାଇ : ନିଜର ପିଲାଦିନର ପ୍ରେମିକାକୁ ବଲିଉଡର ପ୍ରସିଦ୍ଧ ଅଭିନେତା ଜ୍ୟାକି ଶ୍ରଫ୍ ‘ଦ କପିଲ ଶର୍ମା ସୋ’ରେ ମନେ ପକାଇଛନ୍ତି । ସ୍କୁଲ ଦିନର ସ୍ମୃତିକୁ ମନେ ପକାଇ କିଭଳି ସେ ସ୍କୁଲରେ ତାଙ୍କର ଗର୍ଲଫ୍ରେନ୍ଦଙ୍କୁ ପ୍ରାଙ୍କ୍ କରିଥିଲେ ସେ ବିଷୟରେ କହିଛନ୍ତି ଜ୍ୟାକି । ସେ କପିଲଙ୍କୁ କହିଛନ୍ତି, ପିଲାବେଳେ ସେ ମୁମ୍ବାଇର ଚଲ୍ରେ ରହୁଥିଲେ । ସ୍କୁଲରେ ପାଠ ପଢ଼ୁଥିବାବେଳେ ସେ ଜଣେ ଭଲ ଘରର ଝିଅକୁ ଭଲ ପାଉଥିଲେ । ଥରେ ଜ୍ୟାକିଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ମା’ଙ୍କୁ ସାକ୍ଷାତ୍ କରିବା ଲାଗି ଘରକୁ ଆସିବାକୁ ଚାହୁଁଥିବାରୁ ଦ୍ୱିଧାରେ ପଡ଼ିଯାଇଥିଲେ ଜ୍ୟାକି । ଏତିକି ବେଳେ ଜ୍ୟାକି ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ମିଛ କହିଥିଲେ ଯେ, ସେ ତାଙ୍କ ମା’ଙ୍କ ସହିତ ମିଶି ରହନ୍ତି ନାହିଁ ବରଂ ସେ ପିଜିରେ ଏକୁଟିଆ ରହୁଥିବା କହିଥିଲେ । ଅପରପକ୍ଷରେ ଜ୍ୟାକି ନିଜ ମା’ଙ୍କୁ ମଧ୍ୟ କିଛି ସମୟ ଲାଗି ଘରୁ ବାହାରକୁ ଯିବା ପାଇଁ ମନାଇ ମଧ୍ୟ ସାରିଥିଲେ । ଜ୍ୟାକି କପିଲ୍ଙ୍କୁ କହିଛନ୍ତି, “ମା’ ମୋତେ ସାହାଯ୍ୟ କରିଥିଲା ଏବଂ ୩୦ ମିନିଟ୍ ପାଇଁ ଘରୁ ଚାଲିଯାଇଥିଲେ ।” କିନ୍ତୁ ପରେ ଜ୍ୟାକିଙ୍କୁ ଯେତେବେଳେ ହୃଦ୍ବୋଧ ହେଲା ଯେ, ପ୍ରେମ ଘରର ଆକାର ଏବଂ ସ୍ଥାନକୁ ପ୍ରାଧାନ୍ୟ ଦେଇନଥାଏ, ସେବେ ଯାଇ ସେ ସେହି ଝିଅଙ୍କୁ ତାଙ୍କର ସଂଯୁକ୍ତ ପରିବାର ଥିବା କଥା କହିଥିଲେ ଏବଂ ସମସ୍ତେ ଏକାଠି ଗୋଟିଏ ଛୋଟ ଘରେ ବାସ କରନ୍ତି ବୋଲି କହିଥିଲେ । ସୂଚନା ଥାଉ ଯେ, ଜ୍ୟାକି ଶ୍ରଫ୍ ଫିଲ୍ମ ‘ମୁମ୍ବାଇ ସାଗା’ ଏବଂ ‘ରାଧେ’ରେ ନଜର ଆସିବେ । ‘ରାଧେ’ରେ ମୁଖ୍ୟ ଭୂମିକାରେ ସୁପର୍ଷ୍ଟାର ସଲ୍ମନ ଖାନ୍ ଅଭିନୟ କରୁଥିବାବେଳେ ଏଇ ନିକଟରେ ଏହି ଫିଲ୍ମର ଟିଜର୍ ରିଲିଜ୍ ହୋଇଛି । ଏଥିରେ ସଲ୍ମାନ ପୁଣି ଥରେ ଜବରଦସ୍ତ ଆକ୍ସନ୍ ମୋଡ୍ରେ ନଜର ଆସିବେ ।


