ଫନି ଅଞ୍ଚଳରେ ୩୦ ହଜାର ଉନ୍ନତ ନଡ଼ିଆଗଛ ବଣ୍ଟାଯିବ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଭଲ୍ୟୁଣ୍ଟାରୀ ଏଜେନ୍ସି ଫର୍ ସୋସିଆଲ ଆକ୍ସନ ପକ୍ଷରୁ ଆଗାମୀ ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ମଧ୍ୟରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୩୦ ହଜାର ଉନ୍ନତ ନଡ଼ିଆଗଛ ବଣ୍ଟନ କରାଯିବ । ସାକ୍ଷୀଗୋପାଳଠାରେ ଏକ କର୍ମକର୍ତ୍ତା ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟରର ଅଧ୍ୟକ୍ଷ ପରେଶ ନାୟକ । ଏହି କର୍ମଶାଳାରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷା ସସ୍ମିତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଲାୟନ୍ସ କ୍ଲବର ଆଞ୍ଚଳିକ ସଭାପତି ଅନିଲ ଦାସ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ପୂର୍ବତନ ପ୍ରଶାସକ ମଧୁସୂଦନ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୁରୀ ଜିଲ୍ଲାର ୫ଟି ବ୍ଲକ ଯଥା ପିପିଲି, ସତ୍ୟବାଦୀ, ବ୍ରହ୍ମଗିରୀ, ପୁରୀ ସଦର ଓ ଗୋପ ବ୍ଲକରେ ଏହି ନଡ଼ିଆ ଚାରା ବଣ୍ଟନ କରାଯିବ । ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଲକ ଓ ଭୁବନେଶ୍ୱର ବ୍ଲକରେ ନଡ଼ିଆଗଛ ଚାରା ବଣ୍ଟନ କରାଯିବ । ଏହି ଉନ୍ନତମାନର ନଡ଼ିଆ ଚାରା ଲୋକମାନଙ୍କୁ ୨୦ ଟଙ୍କା ଓ ୪୦ ଟଙ୍କା ହିସାବରେ ଦିଆଯିବ । ଡ଼େଙ୍ଗାଗଛ ୨୦ ଟଙ୍କା ଓ ଗେଡ଼ା ଗଛ ୪୦ ଟଙ୍କାରେ ଦିଆଯିବ । ଡ଼େଙ୍ଗାଗଛ ୬ ବର୍ଷରେ ଫଳଦାନ କରିବା ବେଳେ ଗେଡ଼ାଗଛ ୪ ବର୍ଷରେ ଫଳଦାନ କରିବ । କର୍ମକର୍ତ୍ତାମାନଙ୍କୁ ନଡ଼ିଆଚାରା ରୋପଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା । ନଡ଼ିଆ ଚାରା ବଣ୍ଟନ କାର୍ଯ୍ୟକ୍ରମର ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଛି । ପୂର୍ବତନ ଆଇଏଏସ୍ ଲେଖକ ଜେ.ପି. ଦାସ, ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ତଥା ବର୍ତ୍ତମାନର ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଡଃ ଅଶୋକ ମହାପାତ୍ର, ପୂର୍ବତନ ରୋଟାରୀ ଗଭର୍ଣ୍ଣର ରବିନାରାୟଣ ନନ୍ଦ, ଜାଭିୟର ବିଶ୍ୱବିଦ୍ୟାଳୟର ଡିନ୍ ପ୍ରିୟଦର୍ଶନ ପାତ୍ର ଓ ବିଶିଷ୍ଟ ଶିଳ୍ପପତି ଦିଲେଶ୍ୱର ପ୍ରଧାନ ସାମିଲ୍ ହୋଇଛନ୍ତି । କାର୍ଯ୍ୟକ୍ରମ ବିଷୟରେ ସବିଶେଷ ବିବରଣୀ ଦେଇଛନ୍ତି ପୂର୍ବତନ ଷ୍ଟେଟ୍ ବ୍ୟାଙ୍କ ପରିଚାଳକ ଭାବଗ୍ରାହୀ ଶାନ୍ତି ଓ ଜୟପ୍ରକାଶ ମିଶ୍ର । ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରସାଦ ମହାନ୍ତି, ରାକେଶ ପ୍ରଧାନ, କୁମୁଦିନୀ ପଣ୍ଡା, ଇତିଶ୍ରୀ ଦେବୀ ଓ ସୁରେଶ ସାହୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ