ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୧ତମ ଜୟନ୍ତୀ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରଣପୁର ପ୍ରଜା ଆନ୍ଦୋଳନରେ ଭାଗ ନେଇ ଶହୀଦ୍ ହୋଇଥିବା ରଘୁନାଥ ମହାନ୍ତିଙ୍କ ୧୧୧ତମ ଜୟନ୍ତୀ ସ୍ଥାନୀୟ ୟୁନିଟ୍-୯ସ୍ଥିତ ରଘୁ-ଦିବାକର ପ୍ରତିମୂର୍ତ୍ତି ସ୍ଥଳଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନୀତ ଅତିଥି ଭାବେ ରଣପୁର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଶହୀଦ୍ ରଘୁନାଥ ମହାନ୍ତିଙ୍କ ଦେଶପ୍ରେମ, ବଳିଦାନକୁ ମନେପକାଇବା ସହିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବ୍ରିଟିଶ ସରକାର ଓ ତତ୍କାଳୀନ ରାଜାଙ୍କ ଅନ୍ୟାୟ ଅତ୍ୟାଚାରକୁ ଦୃଢ଼ ଭାବେ ବିରୋଧ କରିବା ସହିତ ଶହୀଦ୍ ରଘୁନାଥ ମହାନ୍ତିଙ୍କ ଆଦର୍ଶ ସବୁଦିନ ପାଇଁ ଅମର ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶହୀଦ୍ ରଘୁ-ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତି ନିକଟରେ ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସମାଜସେବୀ ସୀତାଂଶୁ ଶେଖର ମହାରଣା, ଗିରିଜା ମହାପାତ୍ର, ବସନ୍ତ କୁମାର ସାହୁ ସହଯୋଗ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ।


