ଫସଲକ୍ଷତି ବୀମା ପ୍ରଦାନରେ ବିଳମ୍ବ ନେଇ ଚାଷିମାନଙ୍କ ଆନ୍ଦୋଳନ ଚେତାବନୀ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ବନ୍ୟାଞ୍ଚଳର ତରଡିପାଳ, ଅଳପୁଆ, ପେଣ୍ଠପାଳ ଗ୍ରାମର ଚାଷୀ ମାନଙ୍କର ୨୦୧୯ ବନ୍ୟା ଓ ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା । ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଏଚଡିଏଫସି – ଆଗ୍ରୋବୀମା କମ୍ପାନୀଙ୍କୁ ଖରିଫ ଧାନ ଫସଲ ବୀମାର ଅଶଂ ଧନ ପେଣ୍ଠପାଳ ପ୍ରଥମିକ କୃଷି ସମବାୟ ସମିତି ମାଧ୍ୟମରେ ଦାଖଲ କରାଯାଇଥିଲା । ବୀମା କମ୍ପାନୀ, କୃଷି ବିଭାଗ ଓ ତହସିଲ ରାଜସ୍ୱ ନୀରିକ୍ଷକଙ୍କ ପକ୍ଷରୁ ତଦନ୍ତ କରାଯାଇ ଫସଲର କ୍ଷୟକ୍ଷତି ବାବଦରେ ୮୨ ପ୍ରତିଶତ କ୍ଷତି ହୋଇଥିବା ରିପୋର୍ଟ ପ୍ରଦାନ କରାଯାଇଥିଲା । ଏହି ରିପୋର୍ଟକୁ ଭିତ୍ତି କରି ବୀମା କମ୍ପାନୀ ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଏହି ଅର୍ଥ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିମଚଉଡୀରେ ଦାଖଲ ହୋଇଥିବା ଚାଷୀମାନେ ଜାଣିପାରିଛନ୍ତି । ବୀମାରାଶୀ ପ୍ରଦାନ କରିବାରେ ବିଳମ୍ବ ଘଟୁଥିବା ନେଇ କେନ୍ଦ୍ରାପଡା ଜିଲ୍ଲାପାଳ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ, ଏଚଡିଏଫସି ଓ ଆଗ୍ରୋ ଇଣ୍ଡିଆ ବୀମା କମ୍ପାନୀ ଏବଂ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପରିଚାଳକଙ୍କୁ ଦରଖାସ୍ତ ମାଧ୍ୟମରେ ଗତ ସେପ୍ଟେମ୍ବର୧୬ ତାରିଖରେ ଦାବି କରିଥିଲେ । ଇତି ମଧ୍ୟରେ ଏକ ବର୍ଷରୁ ଅଧିକ ଦୀନ ବିତି ଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଫସଲ ବୀମା ପ୍ରଦାନ କରାଯାଉ ନାହିଁ । ଫଳରେ ଚାଷୀମାନେ ନାନା ହଇରାଣ ହରକତ ହୋଇ ନୂତନ ଫସଲ କରିପାରୁ ନାହାନ୍ତି ବୋଲି ଭରତ ଦାଶ, ମୁରଲୀଧର ନାଥ, ପ୍ରତାପ ବିଶ୍ବାଳ, ଗୁରୁଚରଣ ନାଥ, ନରେନ୍ଦ୍ର ଧଳ, କରୁଣାକର ଜେନା, ହିମାଂଶୁ ବିଶ୍ବାଳ, ପ୍ରକାଶ ରାଉତଙ୍କ ସମେତ ଶତାଧିକ ଚାଷୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ନିରୋଧ କୁମାର ନାୟକଙ୍କୁ ପଚାରିବାରେ ଆମ ଶାଖାକୁ ଏ ପର‌୍ୟ୍ୟନ୍ତ ବୀମା ରାଶି ଆସିନାହିଁ । ବୀମା ରାଶି ପହଞ୍ଚିଲେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତାଲିକା ଅନୁସାରେ ପ୍ରଦାନ କରାଯିବ ବୋଲି କହିଛନ୍ତି । ତେବେ ଚାଷୀମାନଙ୍କୁ ତୁରନ୍ତ ବୀମା ରାଶି ପ୍ରଦାନ କରାଗଲେ ଧୌୟାଞ୍ଚଳ ଚାଷୀମାନେ ଉପକୃତ ହୋଇପାରିବେ ନଚେତ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ