ଫ୍ଲାୟ ଓଭରବ୍ରିଜ୍‌ରେ ସଠିକ୍ ମରାମତି ଦାବିରେ ଗଣଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା) : ଓଡ଼ିଶାର ପ୍ରଥମ ଫ୍ଲାୟ ଓଭରବ୍ରିଜ୍ ତଥା ବାଲେଶ୍ୱରର ଜୀବନରେଖା କୁହାଯାଉଥିବା ଏହି ବ୍ରିଜ୍‌ର ସଠିକ୍‌ମାନର ମରାମତି ଦାବିରେ ଗୁରୁବାରଦିନ ଫକୀରମୋହନ ଗୋଲେଇ ନିକଟସ୍ଥ ରାସ୍ତାପାଶ୍ୱର୍ରେ ସିଭିଲ୍ ସୋସାଇଟି ଆହ୍ୱାନରେ ଶତାଧିକ ବ୍ୟକ୍ତି ଗଣଧାରଣାରେ ବସିଥିଲେ । ଏହି ଧାରଣାସ୍ଥଳରେ ବହୁ ସାମାଜିକ ଓ ଗଣସଂଗଠନର ବ୍ୟକ୍ତି, ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ ଏବଂ ସହରର ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଫ୍ଲାୟଓଭରବ୍ରିଜ୍‌ର ମରାମତି ପାଇଁ ମଞ୍ଜୁର ହୋଇଥିବା ପ୍ରାୟ ୯କୋଟି ଟଙ୍କାକୁ ସଠିକ୍ ବିନିଯୋଗ କରାଯାଉନଥିବା ସଂପର୍କରେ ଧାରଣା ସ୍ଥଳରେ ବକ୍ତାମାନେ ଅଭିଯୋଗ କରିଥିଲେ । ବ୍ରିଜ୍‌ର ନିମ୍ନଭାଗରେ ମରାମତି କାମ କରାନଯାଇ କେବଳ ଉପରିଭାଗରେ ଲୋକଦେଖାଣିଆ ମରାମତି କାର୍ଯ୍ୟ ଚାଲିଛି । ରେଳଲାଇନ୍‌ର ପୂର୍ବପଟରେ ବ୍ରିଜ୍‌ତଳେ ଥିବା ବ୍ୟବସାୟୀମାନଙ୍କୁ ଉଚ୍ଛେଦ ନକଲେ ସଠିକ୍ ମରାମତି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ବିଭାଗୀୟ ଇଂଜିନିୟର ଓ ଠିକାଦାର ସଂସ୍ଥା କାର୍ଯ୍ୟ ଆରମ୍ଭ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ବହୁବାର ଲିଖିତ ଭାବେ ଜଣାଇଥିଲେ । ଏଥିପାଇଁ ମାନ୍ୟବର ଉଚ୍ଚ ଅଦାଲତରେ ମଧ୍ୟ କେତେକ ମୋକଦ୍ଦମା ଦାଖଲ କରାଯାଇଥିଲା । ମାନ୍ୟବର ଅଦାଲତ ଜନଗଣଙ୍କ ବୃହତ୍ତର ସ୍ୱାର୍ଥଦୃଷ୍ଟିରୁ ବ୍ୟବସାୟୀମାନଙ୍କର ବ୍ରିଜ୍‌ତଳେ ଥିବା ଦୋକାନଗୃହଗୁଡ଼ିକ ଉଚ୍ଛେଦ ପାଇଁ ଆଦେଶ ଦେଇଥିଲେ । ଅଦାଲତ ଆଦେଶକୁ ମାନିନେଇ ବହୁ ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଇଥିଲେ ମଧ୍ୟ ବ୍ରିଜ୍‌ର ତଳ ଭାଗରେ ପିଲର୍ ଓ ସ୍ଲାପ୍‌ଗୁଡ଼ିକ ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ ଓ ମରାମତି କାର୍ଯ୍ୟରେ ବାଧକ ସାଜିଥିବା ବେଆଇନ୍ ନିର୍ମାଣଗୁଡ଼ିକୁ ଭଙ୍ଗାଯାଇନାହିଁ । ବହୁ ବକ୍ତାମାନେ ଜିଲ୍ଲା ପ୍ରଶାସନର ଏହି ଇଚ୍ଛାକୃତ ତ୍ରୁଟିପାଇଁ ବିସ୍ମୟ ପ୍ରକାଶ କରିଥିଲେ । ଚଳିତମାସର ଶେଷ ସୁଦ୍ଧା ବେଆଇନ୍ ନିର୍ମାଣଗୁଡ଼ିକ ଉଚ୍ଛେଦ କରି ବ୍ରିଜ୍‌ର ତଳଭାଗ କାର୍ଯ୍ୟ ଆରମ୍ଭ ନ ହେଲେ ସିଭିଲ୍ ସୋସାଇଟି ବ୍ରିଜ୍ ଉପରେ ଯାତାୟତକୁ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛି । ସିଭିଲ୍ ସୋସାଇଟି ଓ ବିଭିନ୍ନ ସଂଗଠନ ପକ୍ଷରୁ ସର୍ବଶ୍ରୀ ଲକ୍ଷ୍ମୀଧର ବେହେରା, ଗୌରାଙ୍ଗ ପାଣିଗ୍ରାହୀ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ବିଧାନ ଚନ୍ଦ୍ର ରାୟ, ଅନୁସୂୟା ନାୟକ, ଶ୍ରୀନିବାସ ପ୍ରଧାନ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ସୀତାରାମ ପ୍ରଧାନ, ଅଖିଳ କୁମାର ଦାସ, ଅଜିତ୍ କୁମାର ବରାଳ, ପ୍ରତାପ ଚନ୍ଦ୍ର ନାୟକ, ଏମ୍‌.ଡି. ଇସଲାମ୍‌, ଜ୍ୟୋତ୍ସ୍ନା ମହାନ୍ତି, ସୁରମା ମିସ୍ତ୍ରୀ, ବାସନ୍ତୀ ସାମଲ, ଭରତ ଚନ୍ଦ୍ର ସେଠୀ, ଜଗତ୍‌ଜୀବନ ଦାସ, ସକିଲାବାନୁ, ଶ୍ୟାମସୁନ୍ଦର ଜେନା, ଭାବଗ୍ରାହୀ ମହାନ୍ତି, ଚିତ୍ରାରାଣୀ ପାତ୍ର, ପରମାନନ୍ଦ ପଣ୍ଡା ଓ ମଧୁସୂଦନ ମହାପାତ୍ର ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ବ୍ରିଜ୍‌ର ସଠିକ୍ ମରାମତି ପାଇଁ ଦାବି କରିଥିଲେ । ଧାରଣାସ୍ଥଳ ସଭାରେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସଂପାଦକ ମନୋଜ ନାୟକ ପୋଲର ସୁରକ୍ଷା ପାଇଁ ଦୀର୍ଘ ୨୦୧୨ ମସିହାରୁ ସିଭିଲ୍ ସୋସାଇଟିର ଦାବି ଓ ଆନ୍ଦୋଳନର ସୂଚନା ପ୍ରଦାନ କରି ବର୍ତ୍ତମାନର ନିମ୍ନମାନ କାର୍ଯ୍ୟର ବିଶଦ ବିବରଣୀ ଓ ମଂଜୁରୀ ହୋଇଥିବା ଅର୍ଥର ତୋଷରପାତ ହେଉଥିବା ଆଶଙ୍କା ପ୍ରକାଶ କରିଥିଲେ । ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ବୈଦ୍ୟନାଥ ଷଡ଼ଙ୍ଗୀ ମହାତ୍ମାଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଜନଦାବିରେ ଏହି ଗଣଧାରଣାକୁ ଉଦ୍‌ଘାଟନ କରୁଥିବାର ଘୋଷଣା କରିଥିଲେ । ସନ୍ତୋଷ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ