ବନ୍ତ ପଞ୍ଚାୟତ ସମିତିର ୭ମ ବୈଠକ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍):ଶୁକ୍ରବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତିର ୭ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ବିଡିଓ ରେବେକା ବିଲୁଙ୍ଗ, ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଉପାଧ୍ୟକ୍ଷା ମଞ୍ଜୁଲତା ଜେନା, ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ରବିନ୍ଦ୍ର ଦାସ, ସଭ୍ୟା ରେବତୀ ନାୟକ, ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀ, ଥାନାଧିକାରୀ ମିନା ବିନ୍ଧାଣୀ, ବ୍ଲକ ଶିକ୍ଷାଧିକାରୀ ବାସନ୍ତୀ କୁମାରୀ ମିଶ୍ର, ସିଡିପିଓ ରେଣୁବାଳା ଦାଶ, ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ଜିପିଇଓ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ.ଡି.ଓ. କାଳନ୍ଦି ଚରଣ ବେହେରା, କନିଷ୍ଠ ଯନ୍ତ୍ରୀ ବିଷ୍ଣୁପଦ ମହାନ୍ତି, ସାମାଜିକ ସୁରକ୍ଷା ବିଭାଗ ଦାୟୀତ୍ୱରେ ଥିବା ଅଧିକାରୀ ନିଶାକର ଖୁଣ୍ଟିଆଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ୨୨ଟି ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜିପିିଇଓ ନିଶିକାନ୍ତ ଖୁଣ୍ଟିଆ ସୂଚନା ପ୍ରଦାନ କରିବା ସହ ବୈଠକୁ ସୁରୁଖୁରୁରେ ପରିଚାଳିତ କରିବାରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଏହା ପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନେ ଫଟୋ ସଂଗ୍ରହ କରିବା ପରେ ବୈଠକରୁ ଚାଲି ଯିବାକୁ ସୂଚନା ଦିଆଯାଇଥିଲା ।ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରତିବାଦ କରିବା ସହିତ ବୈଠକ ଛାଡି ଚାଲି ଯିବାକୁ ଉଦ୍ୟମ କରିଥିଲେ । ପରେ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲଙ୍କ ହସ୍ତକ୍ଷେପ ପରେ ଅଧ୍ୟକ୍ଷ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ । ପରେ ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ ଦୀର୍ଘ ୧୬ ମାସ ହେଲା କାହିଁକ ସମିତି ବୈଠକ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହାକୁ ଉପସ୍ଥିତ ଜନପ୍ରତିନିଧି ସମର୍ଥନ କରିଥିଲେ । ବ୍ଳକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ଏହାର ଉତ୍ତର ରଖି କହିଥିଲେ ଯେ, ସମିତି ବୈଠକ ହେବା ନେଇ ସେ ୪ ଥର ବିଡିଓଙ୍କୁ ଚିଠି କରିଛନ୍ତି । ମାତ୍ର କୌଣସି ପରିସ୍ଥିତିରେ ବୈଠକ ଡକାଗଲା ନାହିଁ । ସେଥିନେଇ ବିଡିଓ ଉତ୍ତର ରଖିବାକୁ ସେ କହିଥିଲେ । ମାତ୍ର ବିଡିଓ କୌଣସି ଉତ୍ତର ନଦେଇ ଚୁପ୍ ରହିଥିଲେ । ଫଲରେ ବୈଠକରେ ହୋହାଲ୍ଲା ପ୍ରକାଶ ପାଇଥିଲା । ପରେ ବିଧାୟକ ପ୍ରତିନିଧି ନିଜର ଉତ୍ତର ରଖି ଯାହା ତୃଟି ହୋଇଯାଇଛି ତାକୁ ନଧରି ଆଗାମୀ ଦିନରେ କିପରି ନିୟମିତ ବୈଠକ ଅନୁଷ୍ଠିତ ହେବ ସେନେଇ ଉଭୟ ଅଧ୍ୟକ୍ଷ ଓ ବିଡିଓ ଯତ୍ନାବାନ ହେବାକୁ ପରାମର୍ଶ ଦେଇଥିଲେ । ଆଗାମୀ ବୈଠକରେ ଉନ୍ନୟନମୂଳକ କାର୍ଯ୍ୟ ଓ ସମସ୍ୟା ବିଷୟରେ ଆଲୋଚନା କରାଯିବାକୁ କହିଥିଲେ । ଫଳରେ ବୈଠକରେ ଶାନ୍ତ ଫେରି ଆସିଥିଲା । ପରେ କିଛି ଜନପ୍ରତିନିଧି ସେମାନଙ୍କୁ ଆଜିକାର ବୈଠକ ସଂପର୍କରେ ନୋଟିସ୍ ଦିଆଯାଇନଥିବା କଥା ଉଠାଇଥିଲେ । ଶେଷରେ ବିଡିଓ ନିଜର ଉତ୍ତର ରଖି କହିଥିଲେ ଯେ, ଅତୀତର ଘଟଣାକୁ ଆଉ ପୁନରାବୃତ୍ତି ନକରି ଆଗାମୀ ବୈଠକ ଗୁଡିକ ନିୟମିତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହ ସ୍ୱଚ୍ଛଭାରତ, ପ୍ରଧାନମନ୍ତ୍ରୀ ଆବାସ, ଏ.ଆର.ଇ.ଜି.ଏସ୍ ଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ପାଇଁ ବନ୍ତ ବ୍ଲକ ଆଗରେ ରହିଥିବା କଥା ସୂଚନା ଦେଇଥିଲେ ।


