ବନ୍ତ ମାଟିର ପୁଅ ଡାକ୍ତର ନିରାକର ଜେନାଙ୍କୁ ମିଳିଲା ଆନ୍ତର୍ଜାତୀୟ ସମ୍ମାନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମହୁଲଗଢିଆ ଗ୍ରାମର ଘଣ୍ଟେଶ୍ୱର ଜେନା ଓ ମାତା ସ୍ୱର୍ଗତା ରମ୍ଭା ଦେବୀଙ୍କ ଜ୍ୟୋଷ୍ଠ ପୁତ୍ର ତଥା ତିହିଡି ବ୍ଲକର ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ନିରାକର ଜେନାଙ୍କୁ ଆର୍ନ୍ତଜାତୀୟ ସମ୍ମାନ ମିଳିଛି । ଦୀର୍ଘ ୧୬ ବର୍ଷ ଧରି ବିଭିନ୍ନ ସ୍ଥାନରେ ପ୍ରାଣୀ ଚିକିତ୍ସକ ଭାବେ ନିଷ୍ଠା ଓ ନିସ୍ୱାର୍ଥପର ଭାବରେ ସେ କାର୍ଯ୍ୟ କରି ସୁନାମ ଅର୍ଜ୍ଜନ କରିଆସିଛନ୍ତି । ସମଗ୍ର ବିଶ୍ୱ ମହାମାରୀ କରୋନା କବଳରେ କବଳିତ ଓ ଭୟଭୀତ ହେଉଥିବା ବେଳେ ଡାକ୍ତର ଜେନା ପ୍ରାଣୀ ପାଳନକୁ ଆଧାର କରି ନିଜର ପେଟ ତଥା ପରିବାର ପ୍ରତିପୋଷଣ କରୁଥିବା ସମଗ୍ର ବିଶ୍ୱର ଚାଷୀକୂଳକୁ ସହାୟତା କରିବା ପାଇଁ ଆଗେଇ ଆସିଥିଲେ । ସେ ନିଜସ୍ୱ ଏକ ୟୁ ଟ୍ୟୁବ୍ ଚାନେଲ, ହ୍ୱାଟସ୍‌ଆପ୍ ଗ୍ରୁପ୍‌, ଭିଡିଓ କଲ୍ ମାଧ୍ୟମରେ ପଶୁପକ୍ଷୀ ଚିକିତ୍ସା ଓ ପରିପାଳନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ, ଜ୍ଞାନ କୌଶଳ ତଥା ରୋଗ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ନୂତନ ଅଭିନବ ପ୍ରୟାସ କରି ସାରା ଚିକିତ୍ସା ଜଗତ ପାଇଁ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ଏଥିପାଇଁ ସେ ରାଜ୍ୟ, ଦେଶ ତଥା ସମଗ୍ର ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ୱାରଲ୍ଡ ଜେନିୟସ୍ ରେକର୍ଡ, ନାଇଜେରିଆ ଦ୍ୱାରା ଆନ୍ତର୍ଜାତୀୟ ପୁରସ୍କର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉକ୍ତ ସଂସ୍ଥା ତାଙ୍କୁ ଏକ ଗୋଲ୍ଡ ମେଡାଲ, ସାର୍ଟିଫିକେଟ ଅଫ ଅନର, ବ୍ରୋଞ୍ଜ ଟ୍ରଫି, ପରିଚୟ ପତ୍ର, ବୁକ୍ ଅଫ୍ ରେକର୍ଡ ଏବଂ ଅର୍ଥରାଶି ପୁରସ୍କାର ସ୍ୱରୂପ ୱେଷ୍ଟ ଆଫ୍ରିକାନ୍ ଗଭର୍ଣ୍ଣମେଣ୍ଟ କମିସନ ଦ୍ୱାରା ସମ୍ମାନୀତ କରାଯାଇଛି । ଡାକ୍ତର ଶ୍ରୀ ଜେନାଙ୍କୁ ଏହି ସମ୍ମାନ ମିଳିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ