ବହଳଦାରେ ସଡକ ଦୁର୍ଘଟଣା : ଜଣେ ମୃତ ଦୁଇ ଆହତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ତିରିଂ ଥାନା ପୋଡାଚାକଡି ଗ୍ରାମର ଗୋପାଲ ମୁର୍ମୁ(୩୫) କଲେଜରେ ପାଠ ପଢୁଥିବା ତାଙ୍କର ଦୁଇ ଭାଣଜି ଦିଗି ଓ ରାକ୍ଷୀ ଉଭୟଙ୍କୁ ପଛରେ ବସାଇ ରାଇରଙ୍ଗପୁର ଆଡକୁ ଆସୁଥିଲେ । ମାତ୍ର ବହଳଦା ଥାନା ଅଧିନ ବାଗଡେଗା ସ୍ଥିତ ମୁତ୍ରୀନାଳ ପୋଲ ପହଞ୍ଚିବା ପୂର୍ବରୁ ସେ ହଠାତ କରି ତାଙ୍କ ବାଇକଟିକୁ ପଛକୁ ବୁଲାଇ ଦେବା ଫଳରେ ସମ ଦିଗରୁ ବାଇକ ପଛରେ ଆସୁଥିବା ଙଊ-୩୩ଔ୫୫୪୦ ନମ୍ବର ଥିବା ହାଓ୍ବାରେ ବାଡେଇ ହୋଇଯାଇଥିଲେ । ଫଳ ସ୍ବରୂପ ବାଇକରେ ଥିବା ତିନିଜଣ ଯାକ ବାଇକରୁ ଛିଟିକି ପଡିଥିଲେ । ଏହି ଦୁର୍ଘଟଣାରେ କଲେଜ ଛାତ୍ରୀ ଦିଗିର ଘଟଣା ସ୍ଥଳରେ ଶୋଚନୀୟ ଭାବେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭଉଣୀ ରାକ୍ଷୀ(୧୬) ଏବଂ ବାଇକ ଚାଳକ ତାଙ୍କ ମାମୁଁ ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମାମୁଁ ଏବଂ ତାଙ୍କ ଭାଣଜୀ ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ବହଳଦା ପୁଲିସ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରିବା ସହ ବହଳଦା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ କ୍ରମେ ଉନ୍ନତ ଚିକିତ୍ସା କରାଯିବା ନେଇ ଉଭୟ ଆହତଙ୍କୁ ବାରିପଦା ସ୍ଥିତ ଚ.ଜ.ଗ ମେଡିକାଲ କଲେଜ ଏଣ୍ଡ ହସପିଟାଲ ସ୍ଥାନାନ୍ତରିତ କରାଯାଇଛି । ଏ ନେଇ ବହଳଦା ଥାନାରେ କେଶ ନମ୍ବର ୪/୨୦୨୨ ରେ ଦୁର୍ଘଟଣା ଜନିତ ଏକ ମାମଲା ରୁଜୁ କରାଯାଇ ଶବ ଜବତ କରି ବ୍ୟବଛ୍ଛେଦ ନେଇ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛି । ଦୁର୍ଘଟଣା ଜନିତ କ୍ଷତି ପୂରଣ ବାବଦକୁ ବହଳଦାର ପ୍ରଫୁଲ୍ଲ କୁମାର ସାହୁ ମାନବିକତା ଦୃଷ୍ଟିରୁ ମୃତକର ପରିବାର ସଦସ୍ୟକୁ ପ୍ରଥମ କିସ୍ତିରେ ଆଜି ୪୦ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଥିବା ବେଳେ ଏହାର ସାତ ଦିନ ଭିତରେ ପୁଣି ଦ୍ୱିତୀୟ କିସ୍ତିରେ ଷାଠିଏ ହଜାର ଟଙ୍କା ଦେବେ ବୋଲି ପରିବାର ଲୋକଙ୍କୁ କହିଥିବାର ଜଣାଯାଇଛି । ସେହିପରି ମୃତକର ପରିବାରଙ୍କୁ ଦଶ ହଜାର ଟଙ୍କା ବହଳଦା ତହସିଲଦାର ପରମାନନ୍ଦ ଖଣ୍ଡେଇ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଉକ୍ତ ସଡକ ଦୁର୍ଘଟଣା ଜନିତ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।


