ବାଦାମପାହାଡ଼ ଲୌହଖଣିରେ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ନେଇ ଶ୍ରମିକଙ୍କ ବଲ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମେସିନ ଦ୍ବାରା ଲୋଡିଂ କାର୍ଯ୍ୟ କୁ ବିରୋଧ କରିଛନ୍ତି ଶ୍ରମିକ ସଂଗଠନ। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ସ୍ଥିତ ଲୌହଖଣିରେ ଖଣି ମାଲିକଙ୍କ ମନମୁଖୀ ନୀତିକୁ ବିରୋଧ କରି ‘ବାଦାମପାହାଡ଼ ଲୁହାପଥର ଖଣି ୱାଗନ୍ ଲୋଡିଂ ଶ୍ରମିକ ସଂଗଠନ’ ପକ୍ଷରୁ ବାଦାମପାହାଡ ଅଞ୍ଚଳରେ ଏକ ରାଲି କରାଯାଇ କୁସୁମୀ ବ୍ଲକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ପ୍ରଦର୍ଶନ ଚାଲିଛି । ସୂଚନାଯୋଗ୍ଯଯେ ବାଦାମପାହାଡ ଲୌହଖଣିରେ ୪୦୬ ଜଣ ଶ୍ରମିକ ପ୍ରାୟ କୋଡିଏ ବର୍ଷ ଧରି ୱାଗନ୍ ଲୋଡିଂ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ଲୌହଖଣି ଲିଜଧାରୀ ଘନଶ୍ୟାମ ମିଶ୍ରା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡ ଗତ ନଭେମ୍ବର ମାସ ୨୭ ତାରିଖ ଠାରୁ ଶତାଧିକ ୱାଗନ୍ ଲୋଡିଂ ଶ୍ରମିକ ମାନଙ୍କୁ ଲୋଡିଂ କାର୍ଯ୍ୟ କରିବାକୁ ବନ୍ଦ କରି ଦେଇଥିଲେ। ତା ସହିତ ପୋଲିସ ଫୋର୍ସ ମୁତୟନ କରାଯାଇ ମେସିନ ଦ୍ବାରା ଲୋଡିଂ କାର୍ଯ୍ୟ କରାଯାଉଥିଲା । ଯାହା ଫଳରେ ଶ୍ରମିକ ମାନେ କାମଧନ୍ଦା ନ ପାଇ ଶ୍ରମିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଏ ନେଇ ଶତାଧିକ ଶ୍ରମିକ ଲୌହ ଖଣିରେ କାର୍ଯ୍ୟ କରୁଥିବା ୱାଗନ ଲୋଡିଂ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି କରିବା ଓ ପୁନଃ ନିଯୁକ୍ତି ନ କରିବା ପର୍ଯ୍ୟନ୍ତ ଖଣିର ସମସ୍ତ କାର୍ଯ୍ୟ କୁ ବନ୍ଦ ରଖିବାକୁ ଚେତାବନୀ ଦେଇ ବ୍ଲକ ସମ୍ମୁଖରେ୧୫ ତାରିଖରୁ ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ଚାଲିଛି । ଏ ନେଇ ପୂର୍ବରୁ ବାଦାମପାହାଡ଼ ବିଡ଼ିଓ ଙ୍କ ଜରିଆରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରା ଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିବା ଯୋଗୁଁ ଶ୍ରମିକ ମାନଙ୍କ ଅଶାନ୍ତି ବଢ଼ିବାରେ ଲାଗିଛି । ଆଗାମୀ ଦିନରେ ଯଦି ଶ୍ରମିକଙ୍କ ଦାବି ପୂରଣ ନହୁଏ ତେବେ ଜନଆନ୍ଦୋଳନ ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶ୍ରମିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଯଶିପୁର ବିଧାୟକ ଗଣେଶରାମ ଖୁଣ୍ଟିଆ ମଧ୍ଯ ଘଟଣାସ୍ଥଳରେ ପହଞ୍ଚି ମଧ୍ୟ ଧାରଣାରେ ଵସିଥିଲେ । ସେ ମଧ୍ୟ ପ୍ରଶାସନ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବାପାଇଁ ଦାବି କରିଛନ୍ତି । ସରକାର କହୁଛନ୍ତି ଓଡିଶାର ଲୋକେ ଦାଦନ ପାଇଁ ବାହାରକୁ ଯିବେ ନାହିଁ । କିନ୍ତୁ ଲୋକମାନେ ଘର ପାଖରେ ଖଣି ଥାଇ ମଧ୍ୟ ଲୋକେ ଖଣିରେ କାମ ପାଉ ନାହାନ୍ତି ,ମେସିନ ଛଡାଇ ନେଇଛି ଲୋକଙ୍କ କାମ ଓ ପେଟର ଦାନା । ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଶ୍ରମିକ ମାନଙ୍କ ପେଟପଟଣାର ସମାଧାନ ପାଇଁ ବାଟ ଫିଟାନ୍ତୁ ବୋଲି ସାଧାରଣରେ ଦାବି ହେଉଛି ନ ହେଲେ ଶ୍ରମିକ ଅଶାନ୍ତି ଦିନକୁ ଦିନ ବୃଦ୍ଧି ପାଉଛି ।


