ବାଧକ ସାଜିଛି ବିଦ୍ୟାଳୟ ପରିଚାଳନା କମିଟି
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ଓସେପା ପକ୍ଷରୁ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସେପ୍ଟେମ୍ବର ୨୩ ରୁ ୨୫ ପର୍ଯ୍ୟନ୍ତ ପର୍ଯ୍ୟାୟ ଭିତିକ ମାନ ନିର୍ଦ୍ଧାରଣ ପାଇଁ ବିଦ୍ୟାଳୟ ଗୁଡିକରେ ପରୀକ୍ଷା କରାଯାଉଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ସୋମବାର ତୃତୀୟ ଶ୍ରେଣୀ, ମଙ୍ଗଳବାର ୨ୟ ଶ୍ରେଣୀ ଓ ବୁଧବାର ୧ମ ଶ୍ରେଣୀରେ ପରିକ୍ଷା କରାଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ବିଦ୍ୟାଳୟରେ ପିଲାମାନେ ୨ଟି ପର୍ଯ୍ୟାୟରେ ଅର୍ଥାତ ପୂର୍ବାହ୍ନରେ ଗଣିତ ଓ ଅପରାହ୍ନରେ ଭାଷା ରେ ପ୍ରତ୍ୟେକ ବିଷୟରେ ୩୦ ମାର୍କର ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା ରହିଛି । ଏହି ପରୀକ୍ଷା ଦ୍ୱାରା ଶିକ୍ଷାର୍ଥୀମାନଙ୍କର ଶୈକ୍ଷିକ ସ୍ଥିତି ଅନୁଧ୍ୟାନ କରି ଶିକ୍ଷକମାନେ ଶିକ୍ଷଣ ଯୋଜନା ପ୍ରସ୍ତୁତ କରିପାରିବେ । କିନ୍ତୁ ଏହି ବ୍ଳକରେ ସରକାରଙ୍କ ପକ୍ଷରୁ ସଠିକ୍ ସମୟରେ ବିଦ୍ୟାଳୟରେ ପ୍ରଶ୍ନପତ୍ର ପହଂଚି ନ ପାରିବାରୁ ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟ ତରଫରୁ ଖର୍ଚ୍ଚ ବହନ କରି ପ୍ରଶ୍ନପତ୍ର ନକଲ କରି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଯେଉଁ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ ହୋଇନାହିଁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜସ୍ୱ ପକେଟରୁ ଖର୍ଚ୍ଚ ବହନ କରି ପ୍ରଶ୍ନପତ୍ରର ନକଲ ଯୋଗାଉ ଥିବା ବେଳେ ଆଉ କିଛି ବିଦ୍ୟାଳୟରେ ବ୍ଳାକ ବୋର୍ଡରେ ପ୍ରଶ୍ନପତ୍ର ଲେଖାଯାଇଥିବାର ଦେଖିବାକୁ ମିଳିଥିଲା । ଏହି ବ୍ଳକରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ବଛାଳୋ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ୪୦ଜଣ, ରୋହିଆ ଉଚ୍ଚ ବିଦ୍ୟାଳୟରେ ୨୦ଜଣ, ମାରେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୦, ପଂଚାୟତ ବାଣୀପୀଠ ଜାମୁଦଣ୍ଡାରେ ୨୨ଜଣ, ଗଙ୍ଗଦାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୨ଜଣ, ନଳାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ୨୭ଜଣ ପିଲା ପାଠ ପଢୁଥିବା ବେଳେ ଏହି ସବୁ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ପରିଚାଳନା କମିଟି ଗଠନ ହୋଇପାରିନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଏହି ବିଦ୍ୟାଳୟ ଗୁଡିକରେ ୩ଟି ଶ୍ରେଣୀରେ ଅଳ୍ପ ସଂଖ୍ୟକ ପିଲା ରହିଥିବା ହେତୁ ପର୍ଯ୍ୟାୟ ଭିତିକ ମାନ ନିର୍ଦ୍ଧାରଣ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଜେରକ୍ସ କିମ୍ବା ବ୍ଳାକ ବୋର୍ଡରେ ଲେଖାଯାଇଛି । କିନ୍ତୁ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧିକ ସଂଖ୍ୟକ ପିଲା ପରୀକ୍ଷା ଦେଉଥିବା ବେଳେ ଜେରକ୍ସ ବାବଦକୁ ଖର୍ଚ୍ଚ କିଏ ବହନ କରିବେ । ଏସଂକ୍ରାନ୍ତରେ ଭାରାପ୍ରାପ୍ତ ବ୍ଳକ ଶିକ୍ଷାଧିକାରୀ କୈଳାଶ ପାଢୀଙ୍କୁ ପଚାରିବାରେ ଯଥା ଶିଘ୍ର ପ୍ରଧାନ ଶିକ୍ଷକମାନଙ୍କ ସହ କଥା ହୋଇ ଯେଉଁ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ ହୋଇନାହିଁ ତୁରନ୍ତ ଗଠନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।


