ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆଲୋଚନାଚକ୍ର

ବାଲେଶ୍ୱର, (ସରୋଜ ପଣ୍ଡା) :-ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଅବସରରେ “ଧର୍ମୀୟ ମୌଳବାଦ ଆମ ସଂବିଧାନ ଓ ସମାଜ ପ୍ରତି ବିପଦ” ଶୀର୍ଷକ ଆଲୋଚନାଚକ୍ରରେ ଧର୍ମୀୟ ମୌଳବାଦୀ ଭାରତକୁ ବିଭାଜନ କରିବାରେ ଏବଂ ସ୍ୱାଧୀନ ଭାରତରେ ବିପଦସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଆଲୋଚକମାନେ ମତ ପ୍ରକାଶ କରିଛନ୍ତି । କେବଳ ଭାରତବର୍ଷ ନୁହେଁ ସମଗ୍ର ବିଶ୍ୱର ମାନବ ସଭ୍ୟତା ପାଇଁ ଧାର୍ମିକ ମୌଳବାଦ ବିପଦସୃଷ୍ଟି କରୁଛି ବୋଲି ସେମାନେ ମତ ପ୍ରଦାନ କରିଥିଲେ । ଓକିଲ ସଂଘର ସଭାପତି ମନୋଜ ନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାରଦିନ ଅପରାହ୍ନରେ ଉଠାଜଳ ସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବରିଷ୍ଠ ଆଇନଜୀବୀ ସୁସାହିତ୍ୟିକ କୃଷ୍ଣଚନ୍ଦ୍ର ନାୟକ ଓ ଶିକ୍ଷାବିତ୍ ଡ. ସୁବାସ ଚନ୍ଦ୍ର ନାୟକ ଆଲୋଚକ ଭାବେ ଯୋଗଦେଇ ଧର୍ମୀୟ ମୌଳବାଦକୁ ସମସ୍ତ ଗଣତନ୍ତ୍ରପ୍ରେମୀ ମାନବବାଦୀ ମଣିଷ ବିରୋଧ କରିବା ଉଚିତ ବୋଲି ମତ ଦେଇଥିଲେ । ଆବାହକ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ପ୍ରାକ୍‌କଥନ ରଖିଥିବାବେଳେ ଅନ୍ୟତମ ଆବାହକ ଭିଟାମାଟି ସୁରକ୍ଷା ଆନ୍ଦୋଳନର ନେତା ଅରୁଣ ଜେନା ଆଲୋଚ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରରେ ପ୍ରଜ୍ଞାପାରମିତା ବିଶ୍ୱାଳ, ସୁଦର୍ଶନ ଦାସ, ମନୋଜ ମାଝୀ, ଅନନ୍ତ ପଣ୍ଡା, ଷ୍ଟାଲିନ୍ ମିଶ୍ର, ଚକ୍ରଧର ମହାନ୍ତି, ବିଧାନ ରାୟ, ଶ୍ୟାମସୁନ୍ଦର ଜେନା ଓ ନିରଞ୍ଜନ ପରିଡ଼ା ପ୍ରମୁଖ ଆଲୋଚ୍ୟ ବିଷୟ ଉପରେ ମତ ପ୍ରଦାନ କରିଥିଲେ । ନାରୀନେତ୍ରୀ ବନ୍ଦନା ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ