ବାରମ୍ବାର ଦିନ ଗଡାଇଲା ପ୍ରଶାସନ – ହାଟଡିହି ଗ୍ରାମବାସୀଙ୍କ ରାସ୍ତାରୋକ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ଗ୍ରାମର ଦେବର୍ତ୍ତା ପୋଖରୀ ଚତୁଃର୍ପାଶ୍ୱରୁ ଜବରଦଖଲ ହଟାଇବା ଦାବିରେ ଆଜି ହାଟଡିହି ଗ୍ରାମର ଶତାଧିକ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗ୍ରାମର ଦେବର୍ତ୍ତା ପୋଖରୀ ଉପରେ ହାଟଡିହି ଗ୍ରାମର ୫ନଂ ଓ ୬ନଂ ୱାର୍ଡର ଲୋକମାନେ ନିର୍ଭର କରିଥାନ୍ତି । ଏହାକୁ ଆଦର୍ଶ ପୋଖରୀର ମାନ୍ୟତା ମଧ୍ୟ ମିଳିଥିଲା । କିନ୍ତୁ ଏହି ପୋଖରୀ ଚଃତୁର୍ପାଶ୍ୱକୁ କିଛି ଲୋକ ଜବରଦଖଲ କରିନେଗଲେଣି । ସେହିପରି ତହସିଲ ପୋଖରୀ ହୁଡାକୁ ଲାଗି ଥିବା ସରକାରୀ ଜମିକୁ ତହସିଲ କର୍ତ୍ତୁପକ୍ଷ କିଛି ଭୁମୀହୀନ ବ୍ୟକ୍ତିଙ୍କୁ ମଧ୍ୟ ପଟ୍ଟା ଦେଇଛନ୍ତି । ଯାହାଦ୍ୱାରାକି ଏହାର ଆଡି ଦିନକୁ ଦିନ ହ୍ରାସ ପାଉଛି । ଫଳରେ ଆଉ ଦିନ କେଇଟା ଭିତରେ ପୋଖରୀର ଆଡି ମଧ୍ୟ ଜବରଦଖଲ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ଯେଉଁଠି ପୁରୁଷ ପୁରୁଷ ଧରି ଗୋରୁ ଗାଈମାନେ ଚରୁଥିଲେ ତାହା ଆଜି ନାହିଁ କହିଲେ ଚଳେ । ସେଠାରେ ଜଣେ ବ୍ୟକ୍ତି ଏକ କୁକୁଡା ଫାର୍ମ କରି ପରିବେଶକୁ ଅତି ଦୁଷିତ କରିପକାଉଛି । ଯାହାଦ୍ୱାରାକି ଗ୍ରାମବାସୀମାନେ ପୋଖରୀରେ ଗାଧୁଆ ପାଧୁଆ କରିପାରୁ ନାହାନ୍ତି । ଏନେଇ ଗ୍ରାମବାସୀମାନେ ଆଜକୁ ୬ମାସ ହେବ ଜବରଦଖଲ ଉଚ୍ଛେଦ କରିବାପାଇଁ ତହସିଲ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତହସିଲ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଇନଥିଲେ । ଏପରିକି ଗତ ମାର୍ଚ୍ଚ ୧୫ତାରିଖ ଦିନ ଗ୍ରାମବାସୀମାନେ ଏନେଇ ତହସିଲ କାର୍ଯ୍ୟାଳୟ ଘେରାଉ କରିବାପରେ ୮ଦିନ ଭିତରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଗତକାଲି ଗ୍ରାମବାସୀ ମାନେ ତହସିଲଦାରଙ୍କୁ ଭେଟି ଏ ବାବଦରେ ପଚାରିବାରୁ ସେ କିଛି କରିପାରିବେନି ବୋଲି ରୋକଠୋକ ମନା କରିଦେଇଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ଆଜି ଶହଶହ ଗ୍ରାମବାସୀ ଦିନ ୯ଟା ବେଳଠାରୁ ଆନନ୍ଦପୁର ଭଦ୍ରକ ୫୩ନଂ ରାଜ୍ୟ ରାଜପଥକୁ ହାଟଡିହି ହାଇସ୍କୁଲ ଛକ ନିକଟରେ ଅବରୋଧ କରି ବସିରହିଥିଲେ । ଖବରପାଇ ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସ, ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଗୋଟିଏ ମାସ ଭିତରେ ଜବରଦଖଲ ହଟାଇବାକୁ କହିଥିଲେ । ମାତ୍ର ଗ୍ରାମବାସୀମାନେ ଲିଖିତ ଭାବେ ପ୍ରତିଶୃତି ଦେବାକୁ ଦାବି କରିବାରୁ କୌଣସି ନିର୍ଯ୍ୟାଶ ବାହାରି ପାରିନଥିଲା । ଆନ୍ଦୋଳନକାରୀ ମାନେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ । ଏପରିକି ସାଇକେଲ କି ମୋଟର ସାଇକେଲଟିଏ ମଧ୍ୟ ଛାଡି ନଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଟ୍ରକ ଓ ଯାତ୍ରୀବାହୀ ଯାନ ଅଟକି ରହିବା ସହ ଦୁରଦୁରାନ୍ତର ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ । ଅପରାହ୍ନ ୪ଟା ୪୦ରେ ତହସିଲଦାର ଦିଲ୍ଲିପ କୁମାର ସାହୁ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ପୁର୍ବତନ ବିଧାୟକ ମାୟାଧର ଜେନା, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ସୋସୋ, ଆନନ୍ଦପୁର, ନନ୍ଦିପଦା, ଘସିପୁରା ଥାନା ଅଧିକାରୀ ମାନେ ପହଞ୍ଚି ଆନ୍ଦୋଳନକାରୀ ଙ୍କ ନିକଯରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବାପରେ ଆସନ୍ତା କାଲିଠାରୁ କୁକୁଡା ଦୋକାନ ବନ୍ଦ କରିବା ସହିତ ୭ଦିନ ଭିତରେ ଆବଶ୍ୟକୀୟ ପଦକ୍ଷେପ ନେବାର ପ୍ରତିଶୃତି ଦେବାପରେ ଆନ୍ଦୋଳନକାରୀ ମାନେ ରାସ୍ତାରୋକରୁ ହଟିଥିଲେ ।


