ବାରହା ଉପଦ୍ରବ ଯୋଗୁଁ ଧାନ ଫସଲ ନଷ୍ଟ
କୋଦଳା : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ବାରହା ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଜଗଂଲୀ ବାରହା କ୍ଷେତ ଭିତରେ ଫସଲ ନଷ୍ଟ କରୁଥିବା ବେଳେ ଏବେ ଧାନ ଖଳାରେ ପଶି ଫସଲ ନଷ୍ଟ କରୁଛି । ବ୍ଲକର ଦେଓଳିଆପଡା ଗ୍ରାମର ଚାଷୀ ବିଜୟ ମହାନ୍ତିଙ୍କ ଖଳା ଭିତରକୁ ବାରହା ପଲ ରାତିରେ ପଶି ଉପଦ୍ରବ କରୁଛନ୍ତି। ବିଲମ୍ବିତ ରାତ୍ରିରେ ବାରହା ପଲ ପଶି ମନଇଛା ଉପଦ୍ରବ କରୁଥିବା ବେଳେ ସେମାନଙ୍କୁ ଘଉଡାଇବା କଷ୍ଟସାଧ୍ୟ ହୋଇପଡୁଛି । ବିଗତ ବର୍ଷ ମଧ୍ୟ ଅନେକ ପଞ୍ଚାୟତରୁ ବାରହା ଉପଦ୍ରବରେ ଫସଲ ନଷ୍ଟ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହା ଫଳରେ କି ତାକଂର ଏକରରୁ ଉର୍ଦ୍ଧ ଧାନ ନଷ୍ଟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ପ୍ରତିବର୍ଷ ଏହିଭଳି ଶହ ଶହ ସଂଖ୍ୟକ ଚାଷୀ ମାନେ ବାରହା ଉପଦ୍ରବ ଯୋଗୁଁ ହଇରାଣ ହରକତ ହେଉଥିବା ବେଳେ ଏନେଇ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଅପରପକ୍ଷେ ବାରହା ପାଇଁ ସେପରି କୌଣସି ଠୋସ୍ ଆଇନ୍ ନଥିବା ବେଳେ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି ।


