ବାଲିଆରେ ଫ୍ରି କମ୍ପ୍ୟୁଟର ଏଜୁକେଶନ ଓ ଓଡିଶା ଡିଭାଇସ ଇନିସିଏଟିଭ ଉଦଘାଟିତ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଭାଗବତପୁର ପଂଚାୟତର ବାଲିଆସ୍ଥିତ ଏ.ଆର.ଋଣ ସମବାୟ ସମିତି ଲିଃ ଭାଗବତପୁରର ବାଲିଆ ଶାଖା ଆନୁକୁଲ୍ୟରେ ଫ୍ରି କମ୍ପ୍ୟୁଟର ଏଜୁକେଶନ ଓ ଓଡିଶା ଡିଭାଇସ ଇନିସିଏଟିଭ(ପ୍ରେଣ୍ଡ) ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅଧ୍ୟାପକ ନାରାୟଣ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମାଜସେବୀ ପ୍ରମୋଦ କୁମାର ସାହୁ ମୁଖ୍ୟ ଅତିଥି, ଭାଗବତପୁର ପଂଚାୟତ ସରପଂଚ ଧରଣୀଧର ଦାସ ଓ ପି.ଏନ.ବି.ର ମୁଖ୍ୟ ପ୍ରବନ୍ଧକ ସୁଦିପ କୁମାର ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଫ୍ରି କମ୍ପ୍ୟୁଟର ଏଜୁକେଶନ ଓ ଓଡିଶା ଡିଭାଇସ ଇନିସିଏଟିଭ(ପ୍ରେଣ୍ଡ)କୁ ଫିତାକାଟି ଉଦଘାଟନ କରିଥିଲେ । ଏହି ଅନୁଷ୍ଠାନ ଖୋଲିବା ଦ୍ୱାରା ଆମ ଅଚଂଳର ଗରୀବ ମେଧାବୀ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷାଲାଭ କରି ଉପକୃତ ହୋଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଛାତ୍ରଛାତ୍ରୀମାନେ ଏହି ଶିକ୍ଷାନୁଷ୍ଠାନ ଦ୍ୱାରା ମାଗଣାରେ କମ୍ପ୍ୟୁଟର ଶିକ୍ଷା ଲାଭ କରିବା ସହିତ ସ୍ୱଳ୍ପ ମୂଲ୍ୟରେ ଏକ କମ୍ପ୍ୟୁଟର ଘରକୁ ନେଇପାରିବେ । ଏହି ପ୍ରେଣ୍ଡ ପ୍ରୋଗ୍ରାମ ମାଧ୍ୟମରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଅନୁଷ୍ଠାନରେ ଭର୍ତ୍ତିହେବା ଦିନ ଏକବର୍ଷ ଗ୍ୟାରେଂଟିଯୁକ୍ତ ଏକ ନୂତନ କମ୍ପ୍ୟୁଟର ପାଇପାରିବା ସହ ସେମାନଙ୍କ ଭାଇ ବା ଭଉଣୀକୁ ବିନା ମୂଲ୍ୟରେ କମ୍ପ୍ୟୁଟର ଶିକ୍ଷା ଯୋଗାଇ ଦିଆଯିବାର ଅନୁଷ୍ଠାନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଅତିଥିମାନେ ଅନୁଷ୍ଠାନରେ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଗୋଟିଏ ନୂତନ କମ୍ପ୍ୟୁଟର ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଇତିଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


