ଡାକ୍ତରଙ୍କ ଚିକିତ୍ସା ଅବହେଳାରେ ଶିଶୁର ମୃତ୍ୟୁ ଅଭିଯୋଗ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ୍ ସାହସପୁର ଗ୍ରାମପଞ୍ଚାୟତରେ ଗୋଟିଏ ପରିବାରର ଚାରିଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ନାବାଳକ ଗୁରୁତର ହୋଇ ମେଡିକାଲ୍ରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏନେଇ ସାହାସପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗ୍ରାମବାସୀ ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରିଛନ୍ତି । ସାହାସପୁର ଗ୍ରାମର ପ୍ରଦୀପ ମାଦଳା (୫୫) ସ୍ତ୍ରୀ ଅମିତା ମାଦଲା (୩୦) ପୁଅ ସନୁ ମାଦଲା(୯), ଝିଅ ସ୍ମୃତି ମାଦଳା (୨) ପରିବାରର ଚାରିଜଣଙ୍କୁ ଗତ ସୋମବାର ସନ୍ଧ୍ୟାରେ ଝାଡ଼ାବାନ୍ତି ହୋଇଥିବା ବେଳେ ନିକଟସ୍ଥ ମେଡ଼ିସିନ ଦୋକାନରୁ ଔଷଧ ଆଣି ଖାଇଥିଲେ ହେଲେ ସେଥିରେ କୌଣସି ସୁଫଳ ମିଳିନଥିଲା । ମଙ୍ଗଳବାର ସକାଳୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ଯୋଗୁଁ ସାହାସପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ କାର୍ଯ୍ୟରତ ଡାକ୍ତର ଅଭିଷେକ ଆଚାର୍ଯ୍ୟ ପ୍ରାଥମିକ ଚିକିତ୍ସା କରିବା ବଦଳରେ ସେମାନଙ୍କୁ କରୋନା ହୋଇଥିବା ସନ୍ଦେହ କରି ହିଞ୍ଜିଳିକାଟୁ କୋଭିଡ଼ ହସ୍ପିଟାଲ୍କୁ ଯିବାକୁ କହିଥିଲେ ଏବଂ ଆମ୍ବୁଲାନ୍ସ ଡ଼କାଇଥିଲେ । ଆମ୍ବୁଲାନ୍ସ ଡ଼େରିରେ ଆସିବା ବେଳକୁ ସେଠାରେ ସନୁର ମୃତ୍ୟୁ ହୋଇସାରିଥିଲା । ତେବେ ଏହି ଭିତରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିନଥିବା କହି ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ଉତ୍ତେଜନା ପରସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ପାଟପୁର ଥାନାଧିକାରୀ ଅଜୟ କୁମାର ବାରିକ ସଦଳବଳେ ଘଟଣାସ୍ଥଳରେ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିଥିଲେ । ପୁଅର ମୃତ୍ୟୁ ପରେ ପରିବାର ବର୍ଗ କୋଭିଡ଼ ହସ୍ପିଟାଲ୍କୁ ଯିବେ ନାହିଁ ବୋଲି ଅଡ଼ି ବସିଥିଲେ । ଗ୍ରାମବାସୀ ମଧ୍ୟ ଡାକ୍ତରଙ୍କ ଚିକିତ୍ସା ଅବହେଳା ପାଇଁ ପିଲାଟିର ଜୀବନ ଯାଇଛି ବୋଲି ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ପରିବାର ତିନି ଜଣକୁ ହିଞ୍ଜିଳିକାଟୁ ପଠାଇଥିଲେ । ଶିଶୁଟିର ଶବ ସତ୍କାର ଗ୍ରାମରେ କରାଯାଇଥିଲା । ଡାକ୍ତରଙ୍କୁ ଉକ୍ତ ଘଟଣା ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଝାଡ଼ା,ବାନ୍ତି, ଜ୍ୱର କରୋନାର ଲକ୍ଷଣ ହୋଇଥିବା ଯୋଗୁଁ ତାଙ୍କୁ ସେ ଆମ୍ବୁଲାନ୍ସ ଯୋଗେ କୋଭିଡ଼ ହସ୍ପିଟାଲ୍କୁ ଯିବା ପାଇଁ କହିଥିଲେ । ଆମ୍ବୁଲାନ୍ସ ଡେରିରେ ଆସିବା ଯୋଗୁଁ ଗ୍ରାମବାସୀମାନେ ଉତ୍ତେଜିତ ହୋଇଥିଲେ । ଏନେଇ ସାହାସପୁର ସରପଞ୍ଚ ପ୍ରତିନିଧି କାଳିଚରଣ ରାଉଳ କହିଛନ୍ତି ଏଭଳି ଘଡ଼ିସନ୍ଧି ସମୟରେ ରୋଗୀକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ଅଞ୍ଚଳରେ ଦିନକୁ ଦିନ ଝାଡ଼ା,ବାନ୍ତି ରୋଗ ବ୍ୟାପୀବାରେ ଲାଗିଛି ତେଣୁ ସମସ୍ତଙ୍କୁ ଯଦି କରୋନା ସନ୍ଦେହରେ ଏପରି ପ୍ରାଥମିକ ଚିକିତ୍ସାରୁ ବଞ୍ôଚତ କରାଯାଏ ତେବେ ଆଗାକୁ କେବଳ ଜନସାଧାରଣ ହଇରାଣ ହରକତ ହେବା ଛଡ଼ା ଆଉ ରାସ୍ତା ନାହିଁ ।


