ବାଲିବରେଇ ପଞ୍ଚାୟତକୁ ଆସୁ ନାହାନ୍ତି ସରପଞ୍ଚ, ପିଇଓ କି ଜିଆରଏସ, ପ୍ରତିବାଦ ଜଣାଇଲେ ଗ୍ରାମବାସୀ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ଏବେ ଅଚଳାବସ୍ଥା ଦେଖା ଦେଇଛି । ସରପଞ୍ଚ, ପିଇଓ କିମ୍ବା ଜିଆରଏସ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁ ନଥିବାରୁ ପଞ୍ଚାୟତରେ କୌଣସି କାର୍ଯ୍ୟ ହୋଇପାରୁନି । ଲୋକମାନେ କିଛି କାମରେ ଆସିଲେ କାର୍ଯ୍ୟାଳୟରେ ତାଲା ଝୁଲୁ ଥିବାରୁ ବାଧ୍ୟ ହୋଇ ନିରାଶରେ ଘରକୁ ଫେରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାକୁନେଇ ଆଜି ଶତାଧିକ ବ୍ୟକ୍ତି କାର୍ଯ୍ୟାଳୟ ଘେରାଉ କରିବା ସହିତ ଏହାର ପ୍ରତିବାଦ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ ସରପଞ୍ଚ ନିର୍ବାଚିତ ହେବାପର ଠାରୁ କାର୍ଯ୍ୟାଳୟକୁ ଆଦୌ ଆସୁନଥିବା ପରି ମନେ ହୁଏ । କୌଣସି କାମରେ ସରପଞ୍ଚଙ୍କ ଦସ୍ତଖତ ଆବଶ୍ୟକ ହେଉଛି ଆମେ ତାଙ୍କ ଘରକୁ ନଚେତ ଭଦ୍ରକ ଯିବାକୁ ପଡୁଛି । ଗତ କିଛିମାସ ହେଲା ପଞ୍ଚାୟତର ପିଇଓ ଓ ଜିଆରଏସ ଆଦୌ କାର୍ଯ୍ୟାଳୟକୁ ଆସୁ ଆସୁ ନାହାନ୍ତି । କାର୍ଯ୍ୟାଳୟରେ ୨୪ଘଣ୍ଟିଆ ତାଲା ଝୁଲୁଛି । ଏବେ ସରକାରଙ୍କ ସମସ୍ତ ଜନହୀତକର ଯୋଜନା ଗୁଡିକ ପଞ୍ଚାୟତ ମାଧ୍ୟମରେ ହେଉଥିବାବେଳେ ପଞ୍ଚାୟତରେ ୨୪ଘଣ୍ଟିଆ ତାଲା ଝୁଲିବା ପଞ୍ଚାୟତବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଠିକ ସମୟରେ ଲୋକମାନଙ୍କୁ ରେସନ ସାମଗ୍ରୀ କିମ୍ବା ଭତ୍ତା ଦିଆଯାଉ ନାହିଁ । ପଞ୍ଚାୟତରେ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଥିବାବେଳେ ତାଙ୍କୁ ରେସନ ସାମଗ୍ରୀ ବଣ୍ଟନର ଦାୟିତ୍ୱ ଦିଆ ନଯାଇ ସଢ଼ା ପଞ୍ଚାୟତର ଏକ ଗ୍ରୁପକୁ ରେସନ ସାମଗ୍ରୀ ବଣ୍ଟନର ଦାୟିତ୍ୱ ଦେବା ପରିତାପର ବିଷୟ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି କମଳା ଯେନା, ଅରବିନ୍ଦ ଓଝା, ବସନ୍ତ ଦାସ, ହଳଧର ମଲ୍ଲିକ, ଅବନ୍ତୀ ପାତ୍ର, ଦୀନବନ୍ଧୁ ରାଉତ, ଆନନ୍ଦ ଜେନା, ଗଦାଧର ଜେନା, ସ୍ୱର୍ଣ୍ଣଲତା ସାହୁ, ରସାନନ୍ଦ ଜେନା, ଦୁର୍ଯେ୍ୟାଧନ ସତପଥି ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚ ହରପ୍ରୀୟା ଦଣ୍ଡପାଟଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବୈଠକ ସମୟରେ ଓ ଆବଶ୍ୟକ ସ୍ଥଳେ ସେ ପଞ୍ଚାୟତକୁ ଯାଉଛନ୍ତି । ବାଲିବରେଇ ପଞ୍ଚାୟତର ପିଇଓଙ୍କୁ ୪ଟି ପଞ୍ଚାୟତ ଦିଆଯାଇଥିବାରୁ ସେ ସବୁବେଳେ କାର୍ଯ୍ୟାଳୟକୁ ଆସୁ ନଥିଲେ । ଏବେ ଅନ୍ୟଜଣେ ପିଇଓଙ୍କୁ ନିଯୁକ୍ତି ଦିଆଯାଇଛି, ସେ ତିନୋଟି ପଞ୍ଚାୟତର ଦାୟିତ୍ୱରେ ଥିବାରୁ ବାରି ଅନୁସାରେ ଆସି କାର୍ଯ୍ୟାଳୟ ଖୋଲୁଛନ୍ତି । ସେହିପରି ବ୍ଲକ ପକ୍ଷରୁ ଯେଉଁ ଜିଆରଏସଙ୍କୁ ପଞ୍ଚାୟତରେ ନିଯୁକ୍ତି ଦିଆଯାଇଥିଲା ସେ ଆଦୌ ନଆସିବାରୁ ବର୍ତ୍ତମାନ ସୋସୋ ପଞ୍ଚାୟତର ଜି.ଆର.ଏସ.ଙ୍କୁ ବାଲିବରେଇ ପଞ୍ଚାୟତର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ସେ ବାରି ଅନୁସାରେ କାର୍ଯ୍ୟାଳୟକୁ ଆସି କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ।


