ବାଲିବରେଇ ପଞ୍ଚାୟତର ସରପଞ୍ଚଙ୍କ ମିଥ୍ୟା ସତ୍ୟପାଠ ନେଇ ଅଭିଯୋଗ କଲେ ତତ୍କାଳୀନ ସରପଞ୍ଚ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ନିର୍ବଚେନ ବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ସେତେବେଳର ପ୍ରତିଦ୍ୱନ୍ଦୀ ପ୍ରାର୍ଥôନୀ ହୋଇଥିବା କମଳା ଜେନା ଅଭିଯୋଗ କରିଛନ୍ତି । ଗତ ୧୫ତାରିଖରୁ ସେ ଏନେଇ ଜିଳ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲାପାଳ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବାରୁ ସେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ବାଲିବରେଇ ପଞ୍ଚାୟତର ସରପଞ୍ଚ ହରପ୍ରୀୟା ଦଣ୍ଡପାଟ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ । ସରପଞ୍ଚଙ୍କ ସ୍ୱାମୀ ଅକ୍ଷୟ କୁମାର ଘଡେଇ ଜଣେ ସରକାରୀ କର୍ମଚାରୀ ଓ ସେ ଏବେ ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଯାହାକି ସତ୍ୟପାଠରେ ଉଲେଖ କରାଯାଇ ନାହିଁ । ସେହିପରି ହରପ୍ରୀୟାଙ୍କ ନାମରେ ଭଦ୍ରକର ଏଡତାଳରେ ଏକ ସରକାରୀ ସ୍ୱୀକୃତପ୍ରାପ୍ତ ମଦେ ଦୋକାନ ଭଳି ଏକ ଲାଭଜନକ ବ୍ୟବସାୟିକ ସଂସ୍ଥା ଥିବାବେଳେ ସେ ତାହାକୁ ସତ୍ୟପାଠରେ ଉଲେଖ କରି ନାହାନ୍ତି । ହରପ୍ରୀୟା ଦଣ୍ଡପାଟଙ୍କ ଏକ ପୁତ୍ର ସନ୍ତାନ ଥିବାବେଳେ ତାହା ମଧ୍ୟ ସତ୍ୟପାଠରେ ଉଲେଖ କରି ନାହାନ୍ତି । ସେହିପରି ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କର ସମ୍ପତ୍ତିର ପରିମାଣ ୬୦ଲକ୍ଷରୁ ଉର୍ଦ୍ଧ ହେବ ବୋଲି ସତ୍ୟପାଠରେ ଉଲେଖ କରାଯାଇଥିବାବେଳେ ତାହା ତଦନ୍ତ ପରିସର ଭୁକ୍ତ କରାଯିବା ଆବଶ୍ୟକ ବୋଲି ତତ୍କାଳୀନ ସରପଞ୍ଚ ପ୍ରାର୍ଥôନୀ କମଳା ଜେନା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏଣୁ ଏହାର ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ସହିତ ତାଙ୍କର ସରପଞ୍ଚ ପଦବୀ ରଦ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି । ଦୀର୍ଘଦିନ ହେଲା ଅଭିଯୋଗ କରିଥିଲେବି ଜିଳ୍ଲାପାଳ କୌଣସି ପଦକ୍ଷେପ ନେଉ ନଥିବାରୁ ସେ ବାଧ୍ୟହୋଇ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେବାନୀ ଦେଇଛନ୍ତି । ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରେ ସେ କହିଛନ୍ତି ଯେ ନିର୍ବାଚନ କମିସନଙ୍କ ପକ୍ଷରୁ ଦିଆଯାଇଥିବା ୭ପୃଷ୍ଠା ସମ୍ବଳିତ ସତ୍ୟପାଠରେ କୃଷି, ଚାଷଜମି, ସହରରେ ଥିବା ଜମି, ସ୍ଥାବର ଅସ୍ଥାବର ସମ୍ପତ୍ତି ବ୍ୟାଙ୍କ ଜମା, ବ୍ୟାଙ୍କଋଣ, ଶିକ୍ଷାଗତ ଯୋଗ୍ୟତା ଓ ଜାତିଗତ ପ୍ରମାଣ ପତ୍ର ଦାଖଲ ହୋଇଛି । ନିର୍ବାଚନ କମିସନଙ୍କ ପକ୍ଷରୁ ଦିଆଯାଇଥିବା ସୁଚନା ଆଧାରରେ ସେ କୌଣସି ବି ତଥ୍ୟ ଲୁଚାଇ ନାହାନ୍ତି ବୋଲି ସେ ଷ୍ପଷ୍ଟ କରିଛନ୍ତି ।


