ବାଲିବୋଝେଇ ଗାଡି ଅଟକାଇଲେ ଗ୍ରାମବାସୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଣା ସମଣା ରାସ୍ତାରେ ବାଲିବୋଝେଇ ଭାରିଯାନ ଗୁଡିକ ଚଳାଚଳ କରିବା ଯୋଗୁଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ କରି ଆଜି ବଡରମ୍ପାସ ଗ୍ରାମର ୫୦ରୁ ଉର୍ଦ୍ଧ ଲୋକ ବଡରମ୍ପାସ ନିକଟରେ ବାଲି ବୋଝେଇ ଗାଡିକୁ ଅଟକାଇ ରଖିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଅଣା ସମଣା ରାସ୍ତାରେ କେବଳ ଅଣାଠାରୁ ଇଶଳା ପର୍ଯ୍ୟନ୍ତ ୧୦ରୁ ଉର୍ଦ୍ଧ ସ୍କୁଲ ଥିବାବେଳେ ଶହଶହ ଛାତ୍ରଛାତ୍ରୀ ସ୍କୁଲ କଲେଜ ଯାତାୟତ କରିଥାନ୍ତି ।ଏତେ ସଂଖ୍ୟକ ଭାରିଯାନ ଚଳାଚଳ କରିବା ଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି । ବିଶେଷକରି ହାଇୱା ଓ ୧୦ଚକିଆ ଗାଡିରେ ବାଲି ପରିବହନ ପାଇଁ କୌଣସି ନିୟମ ନଥିବାବେଳେ ଶହଶହ ସଂଖ୍ୟାରେ ହାଇୱା ଟ୍ରକ ଗୁଡିକ ଯାତାୟତ କରୁଛନ୍ତି । ଗାଡି ଗୁଡିକ ବେପରୁଆ ଭାବେ ଚଳପ୍ରଚଳ କରୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଥିବା ନଜିର ଅଛି । ତେଣୁ ଆଜି ଗ୍ରାମର ସିଲୁ ଯେନା, ପିଣ୍ଟୁ ଯେନା, ଟୁନିଆ ପରେଇ, ବଳରାମ ପେରେଇ, ମଣ୍ଟୁ ପେରେଇ, ରାଜୁ ଯେନା, ଭକ୍ତ ପେରେଇ, ନରେଦନ୍ଦ୍ର ଆୟଚଙ୍କ ସମେତ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ବଡରମ୍ପାସ ନିକଟରେ ବାଲିବୋଝେଇ ଭାରିଯାନ ଗୁଡିକୁ ଅଟକ ରଖିଛନ୍ତି । ଖବରପାଇ ଆନନ୍ଦପୁର ଏସଡିପିଓ, ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନଥିବା ଜଣାଯାଇଛି । ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଯେନା ଏନେଇ ଲିଖିତ ଭାବେ ପୁଲିସ ଓ ପ୍ରଶାସନକୁ ଜଣାଇଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ