ବାଲେଶ୍ୱରରେ ଜିଲାସ୍ତରୀୟ ଶିଶୁ ମହୋତ୍ସବ‘ସୁରଭି-୨୦୨୧’
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲା ଶିକ୍ଷା ବିଭାଗ ପକ୍ଷରୁ ଜିଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୧’ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୨ଟି ବ୍ଲକରୁ ୫ଟି ବିଭାଗ ଯଥା- ବକ୍ତୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ ଓ ଏକ ଭାରତ-ଶ୍ରେଷ୍ଠ ଭାରତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜିଲା ଶିକ୍ଷାଧିକାରୀ ବିଷ୍ଣୁ ମୋହନ ସୂତାର ଅଧ୍ୟକ୍ଷତା ସହ ସରକାରଙ୍କ ନୂତନ ଶିକ୍ଷାନୀତିରେ ଶିଶୁ ମହୋତ୍ସବ ‘ସୁରଭି’ ଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ସହାୟକ ହୋଇପାରିଛି ବୋଲି କହିଥିଲେ । ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପିବତ୍ରମାହନ ବାରିକ ଓ ଧରଣୀଧର ପାତ୍ର ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଶିଶୁ ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ସୁଯୋଗ ଆଣିଦେଇଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ରେମୁଣା ବିଆରସିସି ଶୈଳବାଳା ବେହେରା ଏଥିରେ ଅତିଥି ପରିଚୟ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ । କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ଏଥିରେ ପୁରୁସ୍କୃତ କରିଥିଲେ ।


