ବାଲେଶ୍ୱରରେ ନୂଆ ବରିଷ୍ଠ ଦେୱାନୀ ଜଜକୋର୍ଟ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ଜଜମାନଙ୍କ ଅନୁପସ୍ଥିତିରେ ବିଚାର କାର୍ଯ୍ୟ ଜାରି ରଖିବା ଉଦ୍ଦେଶ୍ୟରେ ବାଲେଶ୍ୱର ଜିଲା ଓ ଦୌରାଜଜଙ୍କ ଅଦାଲତ ପରିସରରେ ନୂଆ ବରିଷ୍ଠ ଦେୱାନୀ ଜଜ ‘ସିନିୟର ସିଭିଲ ଜଜ’ (ଏଲଆର ଓ ଏଲଟିଭି)ଙ୍କ କୋର୍ଟ ଶନିବାର ଉଦଘାଟିତ ହୋଇଯାଇଛି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧରନ ଏହାକୁ ଆଭାସି ଜରିଆରେ ଉଦଘାଟନ କରିବା ସହ ବିଚାର ପ୍ରକ୍ରିୟା ତ୍ୱରାନ୍ୱିତରେ ଏହି କୋର୍ଟ ବେଶ ଉପାଦେୟ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକଶ କରିଥିଲେ । ବିଶେଷ କରି ଅନ୍ୟାନ୍ୟ ସିନିୟର ଡିଭିଜନ ଜଜଙ୍କ ଅନୁପସ୍ଥିତିରେ ସମସ୍ତ ପ୍ରକାର ମାମଲାର ବିଚାର କାର୍ଯ୍ୟ ପୂର୍ବଭଳି ଜାରି ରହିବ ବୋଲି ସେ କହିଥିଲେ । କୋର୍ଟ ଉଦଘାଟନ ବେଳେ ତାଙ୍କ ସହ ହାଇକୋର୍ଟର ବିଚାରପତି ବି ପି ଚୌଧୁରୀ ଓ ହାଇକୋର୍ଟ ବିଚାରପତି ତଥା ଜିଲା ପ୍ରଶାସନିକ ବିଚାରପତି ବିଭୂପ୍ରସାଦ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଅନୁରୂପ ଭାବେ ବାଲେଶ୍ୱରରେ ଏହି କୋର୍ଟ ଉଦଘାଟନ ବେଳେ ଏଠାରେ ଜିଲା ଓ ଦୌରାଜଜ ଅଶାନ୍ତ କୁମାର ଦାସ, ଓପିଆଇଡି ଜଜ ବିଶ୍ୱଜିତ ଦାସ, ଅତିରିକ୍ତ ଜିଲା ଓ ଦୌରାଜଜ (ପୋକ୍ସୋ) ରଂଜନ କୁମାର ସୂତାର, ସ୍ପେଶାଲ ଭିଜିଲାନ୍ସ ଜଜ ଶୀଖାରାଣୀ ରଥ, ଉଦଘାଟିତ ନୂଆ କୋର୍ଟର୍ର ବିଚାରପତି ମାନସ ରଞ୍ଜନ ପଣ୍ଡା, ପରିବାର ଅଦାଲତ ଜଜ ପ୍ରଶାନ୍ତ କୁମାର ନାୟକ, ଏଡିଜେ-୧ ଜଜ ସଂଜୀବ କୁମାର ନାୟକ, ଏଡିଜେ-୩ ଜଜ ବିବାଶତ ଗୌତମ, ଏସସି/ଏସଟି କୋର୍ଟ ଜଜ ଲିର୍ଲିପ୍ତା ପଶାୟତ, ଜିଲା ଆଇନସେବା ପ୍ରଧିକରଣ ମୁଖ୍ୟ ପ୍ରିୟରଂଜନ ଓଝା, ସଚିବ ରଂଜନ କୁମାର ପ୍ରଧାନ, କୋର୍ଟ ମ୍ୟାନେଜର ପ୍ରିୟଙ୍କା ମିଶ୍ର, ବାର ଆସୋସିଏସନ ସଭାପତି ମନୋଜ କୁମାର ନାୟକ ଓ ସମ୍ପାଦକ ଦୀପକ କୁମାର ଦାଶଙ୍କ ସମେତ ଜିଲା ବିଚାର ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ ଓକିଲମାନେ ଉପସ୍ଥିତ ଥିଲେ । ଜଜମାନଙ୍କ ଅନୁପସ୍ଥିତିରେ ସମ୍ପୃକ୍ତ କୋର୍ଟର ପ୍ରଭାବିତ ହେଉଥିବା ବିଚାର ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ବିକଳ୍ପ ଭାବେ ବାଲେଶ୍ୱର ସମେତ ରାଜ୍ୟର ୧୨ଟି ଜିଲାରେ ଏହିଭଳି ସିନିୟର ଡିଭିଜନ କୋର୍ଟ ଆଜି ଉଦଘାଟିତ ହୋଇଛି ।


