ବାଲେଶ୍ୱରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ-୨୦୨୩
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ସହଦେବଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ ଜଗଦ୍ଦେବ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ତୃଣମୂଳସ୍ତରରେ ଚିକିତ୍ସା ସେବାର ଉନ୍ନତି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟସେବାରେ ଜଡ଼ିତ ଡାକ୍ତରଙ୍କ ସହ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା’ ସାର୍ଥକ ହୋଇପାରିବ ବୋଲି ସିଡିଏମଓ ଡାକ୍ତର ଜଗଦ୍ଦେବ କହିଥିଲେ । ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ଏଥିରେ ସଭାପତିତ୍ୱ କରିବା ସହିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶଶାଙ୍କ ଶେଖର ଚୌଧୁରୀ, ସହଦେବଖଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଲମ୍ବୋଦର ବଳ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲା ପ୍ରକଳ୍ପ ସଂଯୋଜକ ଅନୀଲ କୁମାର ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଡାକ୍ତରଙ୍କ ସମେତ ନର୍ସ ଓ କର୍ମଚାରୀମାନେ ସମ୍ବେଦନଶୀଳ ହୋଇ ନିଜର ଦାୟିତ୍ୱ ତୁଲାଇବାକୁ ଆହ୍ୱାନ ଦେଇଥିଲେ । ସହକାରୀ ଜିଲା ଜନସ୍ୱାସ୍ଥ୍ୟ ବିଭାଗର ଯୋଗାଯୋଗ ଅଧିକାରୀ ରମଣୀକାନ୍ତ ଭଞ୍ଜ ଏଥିରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲା ଜନସ୍ୱାସ୍ଥ୍ୟ ବିଭାଗ ଯୋଗାଯୋଗ ଅଧିକାରୀ ଶ୍ରୀକାନ୍ତ ସେଠୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଶିକ୍ଷୟତ୍ରୀ ଓ ଛାତ୍ରୀଙ୍କ ସମେତ ଜିଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ, ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଅୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ସକାଳେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।


