ବାଲେଶ୍ୱରରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) :ଓଡ଼ିଆ ନବବର୍ଷ ଅବସରରେ ସହର ସମେତ ସମଗ୍ର ବାଲେଶ୍ୱର ଜିଲାରେ ଗୁରୁବାର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ବୈଶାଖ ମାସ ସଂକ୍ରାନ୍ତିରୁ ଓଡ଼ିଆ ନୂଆବର୍ଷ ଆରମ୍ଭ ହୋଇଥିବା ବେଳେ ସହର ସମେତ ପୁରପଲୀରେ ଏହାକୁ ବେଶ ହର୍ଷ ଉଲ୍ଲାସର ସହ ପାଳନ କରାଯାଇ ଥିବା ଦେଖିବାକୁ ମିଳିଥିଲା । କିମ୍ବଦନ୍ତୀ ଅନୁସାରେ ବର୍ଷର ପ୍ରଥମ ମାସ ବୈଶାଖ ପୁଣ୍ୟ ମାସ ରୂପେ ବିବେଚନା କରାଯାଇଛି । ଏହାକୁ ଅନୁଭବ କରି ମୁନିଋଷିମାନେ ଅନେକ ପର୍ବପର୍ବାଣୀ ପୂଜା ପଦ୍ଧତି, ଦାନ-ଧର୍ମ, ଯଜ୍ଞ ପ୍ରଭୃତି ଉତ୍ସବ ପ୍ରଚଳନ କରିଯାଇଛନ୍ତି । ଏହି ଦିନଠାରୁ ସୂର୍ଯ୍ୟ ବିଷୁବରେଖାରେ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ ଘରର ମହିଳାମାନେ ତୁଳସୀ ଚଉରାରେ ମାଠିଆ ବାନ୍ଧି ପୂଜା କରିଛନ୍ତି । ବର୍ଷର ପ୍ରଥମ ଦିନରୁ ବିଭିନ୍ନ ସ୍ଥାନରେ ସପ୍ତାହ ବ୍ୟାପୀ ଆରମ୍ଭ ହୋଇଛି ହରିହାଟ ଓ ହରିବଂଶ ପୋଥି ପାଠ । ଏହିଦିନରେ ଲୋକେ ଦେବଦର୍ଶନ ସହ ପୂଜାପାଠ ବି କରିଛନ୍ତି । ଏହି ସଂକ୍ରାନ୍ତି ଅବସରରେ ବିଭିନ୍ନ ସ୍ଥାନରେ ପାଟପର୍ବ ଓ ଉଡ଼ା ଆଦି ଅନୁଷ୍ଠିତ ହୋଇଛି । ମହାବିଷୁବ ସଂକ୍ରାନ୍ତିରେ ଭଗବାନ ବଜରଙ୍ଗବାଲିଙ୍କ ଜନ୍ମ ହୋଇଥିବାରୁ ଏହି ଦିନକୁ ହନୁମାନ ଜୟନ୍ତୀ ଭାବେ ପାଳନ କରାଯାଇଥାଏ । ଏଷନଇ ସହ ସମେତ ଜିଲାର ବିଭିନ୍ନ ମହାବୀର ମନ୍ଦିରରେ ବିଶେଷ ନୀତିରେ ପୂଜାର୍ଚ୍ଚନା ସାଙ୍ଗକୁ ସାମୂହିକ ହନୁମାନ ଚାଳିଶା ପାଠ କରାଯାଇଛି ।


