ବାଳାଶ୍ରମରେ ଶିଶୁ ମହୋତ୍ସବ ‘ମହକ-୨୦୨୨’
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜୟନ୍ତୀରେ ଦେଶବ୍ୟାପୀ ଶିଶୁ ଦିବସ ପାଳନ ହେଇଥିବା ବେଳେ ବାଲେଶର ସହରର ଉତ୍କଳ ବାଳାଶ୍ରମଠାରେ ବାର୍ଷିକ ଶିଶୁ ମହୋତ୍ସବ ମହକ ୨୦୨୨ ସୋମବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିବା ସହିତ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶରେ ଶିଶୁ ଉତ୍ସବର ଗୁରୁତ୍ୱ ବେଶ ଅଧିକ ବୋଲି କହିଥିଲେ । ଏ କ୍ଷେତ୍ରରେ ‘ମହକ’ ଆୟୋଜନ ପ୍ରଶଂସନୀୟ ପଦକ୍ଷେପ ହୋଇଥିବା ବେଳେ ସାମୂହିକ ପ୍ରୟାସରେ ଏହି ଉତ୍କଳ ବାଳାଶ୍ରମ ରାଜ୍ୟରେ ଏକ ନମ୍ବର ସ୍ଥାନରେ ପହଞ୍ଚି ପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ମାନସିକତାକୁ ବୁଝିବା ଓ ସେମାନଙ୍କ ଭବିଷ୍ୟତ ନିର୍ମାଣ ପାଇଁର୍ ପ୍ରତ୍ୟେକ ମହଲରୁ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ । ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ଜିଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ଭାଗିରଥୀ ବାରିକ, ସ୍ଥାନୀୟ କାଉନସିଲର ଶମ୍ଭୁନାଥ ସିଂ, ବାଲାଶ୍ରମର ତତ୍ତ୍ୱାବଧାରକ ସୁବ୍ରତ ମହାପାତ୍ର, ସମାଜସେବୀ କୈଳାସ ଅଗ୍ରୱାଲ ଓ ଦୈନିକ ଓଡ଼ିଆ ଖବରକାଗଜ ‘ସମାଜ’ର ବାଲେଶ୍ୱର ଡେସ୍କ ଇନଚାର୍ଜ ଶଶିରଂଜନ ମଲ୍ଲିକ, ସାମାଜିକ ନ୍ୟାୟ ମଞ୍ଚର କର୍ମକର୍ତ୍ତା ଅକ୍ଷୟ ମଲ୍ଲିକ, ମହକ ପରିବାରର ଉପଦେଷ୍ଟା ତଥା ପୂର୍ବତନ ଶିକ୍ଷକ ବିକର୍ତ୍ତନ ନାୟକ ଓ ମୁରଲୀଧର ନାୟକ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ବାଳାଶ୍ରମରେ ପାଳିତ ହେଉଥିବା ଶିଶୁ ଉତ୍ସବର ଉଚ୍ଚ ପ୍ରଶଂସା କରିଥିଲେ । ଏହାକୁ ଆହୁରି ବ୍ୟାପକ କରାଯିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ଉତ୍ସବ କମିଟିର ସଭାପତି ସତ୍ୟଶିବ ଦାସ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥବା ବେଳେ ସମ୍ପାଦକ ରାଜେଶ ଗିରି ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


