ବିକାଶର ବହୁ ଦୂରରେ ରହିଛି କନ୍ଧମାଳର ଏହି ୭ଟି ଗାଁରାସ୍ତା ନିର୍ମାଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳକୁ ଆଜି ସୁଦ୍ଧା ଗମନାଗମନ ସୁବିଧା ପହଞ୍ଚି ପାରିନାହିଁ। ଫଳରେ ଲୋକେ ଅନେକ ସୁବିଧା ସୁଯୋଗରୁ ବଞ୍ଚିତ ହେବା ସହ ସରକାରୀ ସେବା ଗୁଡ଼ିକ ସେମାନଙ୍କ ନିକଟରେ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଯାତାୟାତ ସୁବିଧା ନଥିବାରୁ ଅନେକ ଅଞ୍ଚଳକୁ ଆମ୍ବୁଲାନ୍ସ୍ ପହଞ୍ଚି ପାରୁନାହିଁ। ସମସ୍ୟା ସଂପର୍କରେ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ଅନେକ ଥର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଫଳରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଅଞ୍ଚଳବାସୀ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ଟିକାବାଲି ବ୍ଲକ୍ ଅଧୀନ ବଡ଼ିମୁଣ୍ଡା ପଞ୍ଚାୟତରେ ଆଜି ମଧ୍ୟ ରାସ୍ତା ସମସ୍ୟା ଦୂର ହୋଇନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧ କିମି. ଓ ମୁଖ୍ୟ ସଡ଼କ ଠାରୁ ୪ କିମି. ଦୂରରେ ରହିଛି ଏହି ପଞ୍ଚାୟତର ୭ ଟି ଗାଁ। ହେଲେ ଏହି ଗାଁ ଗୁଡ଼ିକୁ ଯିବାକୁ ରାସ୍ତା ନାହିଁ। ଗାଡ଼ି ମଟର ତ, ଦୂରର କଥା ଚାଲିକି ଯିବା ମଧ୍ୟ କଷ୍ଟକର। ବଡ଼ିମୁଣ୍ଡା ପଞ୍ଚାୟତର ୧୦ ନମ୍ବର ୱାର୍ଡ଼ର ପାଙ୍ଗାନାଜୁରେ ବସବାସ କରନ୍ତି ୧୫ ପରିବାର। ସେହିପରି ଅଲିଙ୍ଗସା ୬୫ , ସ୍ଲାମ୍ବୁନାଜୁରେ ୮ , ନୂଆସାହିରେ ୫୦ , ସରୁନାଜୁରେ ୧୫, ଡାମିନାଜୁରେ ୮ ଓ ୧୧ ନମ୍ବର ୱାର୍ଡ଼ର ସେବାନାଜୁରେ ୧୦ ପରିବାର ଏଭଳି ମୋଟ ୧୭୦ ପରିବାର ବସବାସ କରନ୍ତି। ସମସ୍ତ ଗ୍ରାମର ଜନସଂଖ୍ୟା ମଶି ୧୫୯୦। ସମସ୍ତେ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର। ଟିକାବାଲି ଗଦଗୁଡ଼ା ଆରଡ଼ି ରାସ୍ତା ଠାରୁ ମାତ୍ର ଚାରି କିମି ଦୂରରେ ରହିଛି ଏହି ସବୁ ଗ୍ରାମ। ଜଙ୍ଗଲ ପାହାଡ଼ ଘେରା ପଞ୍ଚାୟତ ସଦରମହକୁମା ଠାରୁ ମାତ୍ର ଅଳ୍ପ ଦୂରରେ ଏହି ଗ୍ରାମ ଗୁଡ଼ିକ ଥିଲେ ମଧ୍ୟ ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନାହିଁ। ବର୍ଷା ହେଲେ ଯାତାୟାତ ଅସମ୍ଭବ। ୧୦ ନମ୍ବର ୱାର୍ଡ଼ର ୱାର୍ଡ଼ମେମ୍ବର ପନିମା ପ୍ରଧାନ କହିଥିଲେ ଆମେ ଦୀର୍ଘ ବର୍ଷ ହେଲା ସମସ୍ତ ଅଧିକାରୀଙ୍କୁ ରାସ୍ତା ନିର୍ମାଣ ପାଇଁ ଗୁହାରି କରିଛୁ। ହେଲେ କିଛି ସୁଫଳ ମିଳିପାରି ନାହିଁ। ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ୍ ଆସିପାରୁନି।ଗର୍ଭବତୀ ମା କିମ୍ବା ଗର୍ଭବତୀଙ୍କୁ ମେଡିକାଲ୍ ନେବାକୁ ହେଲେ ଖଟିଆ ଭାର ଖୋଜା ପଡ଼ୁଛି। ତେଣୁ ଆମେ ପଞ୍ଚାୟତବାସୀ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ନିଷ୍ପତ୍ତି ନେଇଛୁ। କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଘଟଣା ସଂପର୍କରେ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ସମୂହ ଭୋଟ ବର୍ଜନ କରିବୁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ