ବିଜେଡି ଶାସନରେ କେନ୍ଦ୍ରାପଡା ସବୁଠୁ ଅବହେଳିତ ଓ ପ୍ରତାରିତ : ବିଜେପି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ୫-ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତ ସରକାରୀ ଓ ବିରୋଧୀ ଦଳଙ୍କୁ ସକ୍ରିୟ କରିଦେଇଛି । ବୁଧବାର ଗୋପସ୍ଥିତ କମଲ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଛାମୁଆ ନେତୃମଣ୍ଡଳୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ଯେ, ୨୪ ବର୍ଷର ବିଜୁ ଜନତା ଦଳ ସରକାରରେ କେନ୍ଦ୍ରାପଡାବାସୀ ସବୁଠାରୁ ଅଧିକ ଅବହେଳିତ ଓ ପ୍ରତାରିତ । ବିଜୁବାବୁଙ୍କ ରାଜନୈତିକ ସ୍ୱୀକୃତି ଓ ପରିଚିତି ଦେଇଥିବା କେନ୍ଦ୍ରାପଡା ଜିଲ୍ଲାର ବଡ ଠାକୁର ସବୁଠାରୁ ଅବହେଳିତ । ରାଜ୍ୟର ବିଭିନ୍ନ ମନ୍ଦିର ଓ ମଠ ବାଡିର ଉନ୍ନୟନ ପାଣ୍ଠି ଘୋଷିତ ଓ କାର୍ଯ୍ୟାନ୍ୱୟନ ହେଉଥିବା ବେଳେ ଶ୍ରୀ ବଳଦେବଜୀଉଙ୍କ ପାଇଁ ସାଢେ ୮କୋଟି ଟଙ୍କା କେବଳ ଘୋଷଣାରେ ସୀମିତ । ଗଲା ବର୍ଷଠାରୁ ରଥ ଅନୁଦାନ ଦଶଲକ୍ଷ ଟଙ୍କା ଆଜି ପର୍ଯ୍ୟନ୍ତ ସରକାର ପ୍ରଦାନ କରୁନାହାଁନ୍ତି । ନୀତିକାନ୍ତିର ମାନ ବୃଦ୍ଧି ଓ ସେବାୟତମାନଙ୍କ ପାରିଶ୍ରମିକ ପେନ୍ସନ୍ ଓ ବୀମା ଏ ପର୍ଯ୍ୟନ୍ତ ବିଚାରକୁ ନିଆଯାଇନାହିଁ । ଏହି ପରିପ୍ରେକ୍ଷୀରେ ଶ୍ରୀବଳଦେବଜୀଉଙ୍କ ରଥ ଅନୁଦାନକୁ ସରକାର ପଚାଶ ଲକ୍ଷ ଟଙ୍କା ପ୍ରଦାନ ସହିତ ମନ୍ଦିର ଓ ଏହାର ପାରିପାଶ୍ୱର୍ିକ ଉନ୍ନୟନ ପାଇଁ ଶହେ କୋଟି ପ୍ରଦାନ ପୂର୍ବକ ମନ୍ଦିର ସହିତ ସଂଯୁକ୍ତ ମୁଖ୍ୟ ରାସ୍ତାକୁ ୪ ଲାଇନ୍ ଯୁକ୍ତ ସ୍ମାର୍ଟ ରୋଡ୍ କରାଯାଉ । ଏଥିପାଇଁ ଶକ୍ତି ପୀଠ ମା’ ବିରଜା, ବାଣୀକ୍ଷେତ୍ର ମା’ଶାରଳା ଓ ବୌଦ୍ଧ ପୀଠ ରତ୍ନଗିରି ଓ ଲଳିତଗିରିକୁ ନେଇ ଏକ ଉପକୂଳ, ଆଧ୍ୟାତ୍ମିକ, ବୌଦ୍ଧିକ ଓ ଅର୍ଥନୈତିକ କରିଡର ନିର୍ମାଣ କରାଯାଉ । ଏହାକୁ କେନ୍ଦ୍ର କରି କେନ୍ଦ୍ରାପଡାରେ ପରିବେଶ, ପର୍ଯ୍ୟଟନ, ଗ୍ରାମ୍ୟ ଅର୍ଥନୀତି, ନୌବାଣିଜ୍ୟ ଓ ବୁଦ୍ଧିଷ୍ଟ ଷ୍ଟଡିଜ୍ ଭଳି ବିଷୟକୁ ନେଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବିଜେପି ନେତା ଭୁବନ ମୋହନ ଜେନା ଦାବି କରିଛନ୍ତି । ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର ଓ ସହଯୋଗୀ ଡାକ୍ତର ତଥା ସେମାନଙ୍କ ବାସଗୃହ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଉ । ପୂର୍ବରୁ ମୁଖ୍ୟ ଚିକିତ୍ସାଳୟରେ ଥିବା ପ୍ରାୟ ଶହେ କୋଟି ଟଙ୍କାର ଭିତ୍ତିଭୂମିକୁ ପି.ପି.ପି. ମୋଡରେ ରାଜ୍ୟର କୌଣସି ସୁନାମଧନ୍ୟ ସୁପର ସ୍ପେଶାଲିଷ୍ଟ ମେଡିକାଲ କଲେଜକୁ ପରିଚାଲନା ଦାୟିତ୍ୱ ଦେଇ କେନ୍ଦ୍ରାପଡା ପୈାରସଂସ୍ଥାକୁ ଏହାର ନୋଡାଲ ଅନୁଷ୍ଠାନ ଭାବେ ଦାୟିତ୍ୱ ଦିଆଯାଉ ଏବଂ ପର୍ଯ୍ୟାୟ କ୍ରମେ ସମସ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମେଡିକାଲ କଲେଜ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପ୍ରସ୍ତାବ ଦେବାକୁ ଶ୍ରୀ ଜେନା ଦାବି କରିବା ସହିତ, କେନ୍ଦ୍ରକୁ ପ୍ରସ୍ତାବ ଆସିବା ମାତ୍ରେ କେନ୍ଦ୍ରାପଡା ମେଡିକାଲ କଲେଜ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଘୋଷଣା ମନେ ପକାଇ ଦେଇଥିଲେ । ସଂପ୍ରତି ଇସ୍ପାତ ଶିଳ୍ପ ପ୍ରତିଷ୍ଠା ସମ୍ପର୍କରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜେନା କହିଥିଲେ ଯେ ଶିଳ୍ପ ପ୍ରତିଷ୍ଠାକୁ ଅତୀତ ଦିନମାନଙ୍କ ଭଳି ନିର୍ବାଚନୀ ପ୍ରସଙ୍ଗରେ ପରିଣତ କରି ଜିଲ୍ଲାର ସାଧାରଣ ଲୋକମାନଙ୍କୁ ପ୍ରତାରିତ କରିବା ବଦଳରେ ଠୋସ୍ ପଦକ୍ଷେପ ନିଆଯାଉ । ଏପର୍ଯ୍ୟନ୍ତ ପ୍ରସ୍ତାବିତ ଇସ୍ପାତ୍ ଶିଳ୍ପର ଡିଟେଲ ଏନ୍ଭାରମେଣ୍ଟ ଇମ୍ପାକ୍ଟର ଅସେସମେଣ୍ଟ ରିପୋର୍ଟ ପ୍ରସ୍ତୁତ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଯେଉଁ ଆଡୋଇ ଅଞ୍ଚଳରେ ଇସ୍ପାତ ଶିଳ୍ପର ସମୀକ୍ଷା କରିବାକୁ ଯିବାର ପ୍ରସ୍ତାବ ରହିଛି ସେହି ମୌଜାରେ ଶ୍ରୀ ଜେନାଙ୍କ ପରିବାରର ୬ ଏକର ସ୍ଥିତିବାନ ଚାଷଜମିକୁ ଅଧିଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସରକାରଙ୍କୁ ସେ ପ୍ରସ୍ତାବ ଦେଉଛନ୍ତି । ଅପରପକ୍ଷରେ ମୃତ୍ତିକା ପରୀକ୍ଷା ବା ସଏଲ ଟେଷ୍ଟିଙ୍ଗ୍ ସମୟରେ ଚଞ୍ଚକତାପୂର୍ଣ୍ଣ ଭାବରେ କିଛି ଭଡାଟିଆ ଶିଳ୍ପ ବିରୋଧୀଙ୍କୁ ପ୍ରାୟୋଜିତ କରି ଯେଉଁ ସରକାରୀ ଦଳର ରାଜନେତା ପ୍ରସ୍ତାବିତ ଶିଳ୍ପ ବିରୋଧରେ ଷଡଯନ୍ତ୍ର କରିଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଶ୍ରୀ ଜେନା ଦାବି କରିଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯ୍ୟୋଧନ ସାହୁ କେନ୍ଦ୍ରାପଡା ମ୍ୟୁନିସିପାଲିଟିର ବିପର୍ଯ୍ୟସ୍ତ ପରିମଳ ବିକାଶ ଯୋଜନାର ଅଚଳାବସ୍ଥା ଓଡିଶାର ସର୍ବପୁରାତନ ମ୍ୟୁନିସିପାଲିଟିରେ ଆତଙ୍କ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଥିଲେ । ସହର ମଧ୍ୟରେ ଥିବା ଗଣ୍ଡାକିଆ କେନାଲର ପୁନରୁଦ୍ଧାର, ସରକାରୀ କଳର ସମନ୍ୱୟ ଓ ବୈଷୟିକ ଜ୍ଞାନର ଅଭାବରୁ ଏକ ପ୍ରକାରର ଅଚଳାବସ୍ଥା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉପସଭାପତି ଗଗନ ବିହାରୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନସ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ପବିତ୍ର ପରିଡା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରଞ୍ଜିତ ଆଚାର୍ଯ୍ୟ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ରୋଜାଲିନ ମହାନ୍ତି, ଅନୁସୂଚିତଜାତି ମୋର୍ଚ୍ଚା ନେତା ମାଧବାନନ୍ଦ ମଲ୍ଲିକ, ମଣ୍ଡଳ ସଭାପତି ଉମାକାନ୍ତ ନାୟକ, ପ୍ରସନ୍ନ ପରିଡା, କରୁଣାକର ସାହୁ, ଭୁବନ ମୋହନ ସିଂ, ମନିନ୍ଦ୍ର ରାଉତ, ସୁବାଷ ସେଠୀ, ଭିକାରୀ ପାତ୍ର, ସୁଦାମ ବାରିକ, ଅଜୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।


